Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ପାଇଲଟ, ପୁଣି ସଙ୍କଟ, ଭାଜପା ପାଇଁ ନୂଆ ସୁଯୋଗ…

ଜୟପୁର, ୧୭।୮ : ରାଜସ୍ଥାନ ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି (ଭଳି ବିରୋଧୀ ରାଜସ୍ଥାନ ସରକାରଙ୍କୁ ଘେରିଛନ୍ତି। ଏପରିସ୍ଥଳେ କଂଗ୍ରେସ ସରକାରରେ ଆଭ୍ୟନ୍ତରୀଣ ମତଭେଦ ମଧ୍ୟ ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ପାନଚାନ୍ଦ ମେଘୱାଲ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରି ଇସ୍ତଫା ଦେଇଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୀଡିତ ପରିବାରଙ୍କ ଘରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କଥା ପାଇଲଟ ମାନୁ ନଥିବା ଏଥିରୁ ସ୍ପଷ୍ଟ ହୋଇଥିବା ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି। ପାଇଲଟ କେବଳ ପୋଲିସ ଉପରେ ପ୍ରଶ୍ନ ଉଠାଇ ନାହାଁନ୍ତି ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଅପରାଧିକ ଘଟଣା ଘଟେ ବୋଲି କହିଥିବା ଗେହଲଟଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପାଇଲଟ ଏବଂ ଗେହଲଟଙ୍କ ମଧ୍ୟରେ ହେଉଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଭାଜପା ପାଇଁ ପୁଣି ଥରେ ନୂଆ ସୁଯୋଗ ସୃଷ୍ଟି ହୋଇଥିବା କୁହାଯାଉଛି।

ପାଇଲଟଙ୍କ ଏଭଳି କାର୍ଯ୍ୟ ପରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଗେହଲଟଙ୍କୁ ଘେରିଛନ୍ତି। ସେ କହିଛନ୍ତି, କେବଳ ସଚିନ ପାଇଲଟ ନୁହନ୍ତି କଂଗ୍ରେସ ଦଳର ଅନ୍ୟ ନେତାଙ୍କର ମଧ୍ୟ ବିବେକ ଜାଗ୍ରତ ହେବ। ବେଳେବେଳେ ଭାରତ ସିଂ କିଛି କୁହନ୍ତି ଏବଂ ବେଳେବେଳେ ସଚିନ ପାଇଲଟ କୁହନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ନିଜର ନେତାମାନଙ୍କୁ ପରିହାସ କରନ୍ତି ବୋଲି ଗଜେନ୍ଦ୍ର କହିଛନ୍ତି।

ତେବେ ଦଲିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ପାଇଲଟ କହିଛନ୍ତି ଯେ ଆଇନ ପ୍ରତି ସମସ୍ତଙ୍କର ଭୟ ରହିବା ଉଚିତ ଏବଂ ଦଳିତଙ୍କ ମଧ୍ୟରେ ବିଶ୍ୱାସର ଭାବନା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପିଲାଟିକୁ ଜୀବନ୍ତ ଅଣାଯାଇପାରିବ ନାହିଁ କିନ୍ତୁ ଏକ ଉଦାହରଣ ଦିଆଯାଇପାରିବ ବୋଲି ସେ କହିଛନ୍ତି।

Share