ଚାରିଧାମ ଦର୍ଶନରେ ବାହାରିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ସୁବଳୟା ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସ୍ୟାମ ହରାଇ ରାସ୍ତାପାର୍ଶ୍ୱ ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା l ହେଲେ ସୌଭାଗ୍ୟ ବଶତଃ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକେ ବସ୍‌ରୁ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରି ସୁବଳୟା ପଞ୍ଚାୟତ ଗୃହରେ ରଖିଛନ୍ତି।

ମିଳିଥିବା ସୂଚନା ମୁତାବକ, ଉକ୍ତ ବସ୍‌ଟି ଗତ ୧୫ ଦିନ ତଳେ ଚାରିଧାମ ଦର୍ଶନ ପାଇଁ ଯାତ୍ରୀଙ୍କୁ ଧରି ମଧ୍ୟପ୍ରଦେଶରୁ ବାହାରିଥିଲା। ବସ୍‌ଟି ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ତିରୁପତି ଯାଉଥିବା ବେଳେ ବାଟରେ ଗଞ୍ଜାମ ଜିଲା ରମ୍ଭା ଥାନା ସୁବଳୟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ମେଶିନ ଯୋଗେ ବସ୍‌କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ରାସ୍ତା ଉପରକୁ ଅଣାଯାଇଛି। ବର୍ତ୍ତମାନ ଯାତ୍ରୀଙ୍କୁ ଘରକୁ ଯିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।