ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ଇସଲାମାବାଦ୍‌: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ପାକିସ୍ତାନରେ ଶାହରୁଖଙ୍କ ଚଳଚ୍ଚିତ୍ରକୁ ବ୍ୟାନ୍‌ କରାଯାଇଛି, ହେଲେ ମଧ୍ୟ ତାଙ୍କ ପ୍ରତି ପାକିସ୍ତାନବାସୀଙ୍କ ପ୍ରେମ ଏବେ ବି ରହିଛି। ଯେତେବେଳେ ପଠାନ୍‌ ରିଲିଜ୍‌ ହୋଇଥିଲା, ସେତେବେଳେ ମଧ୍ୟ କିଛି ପାକିସ୍ତାନୀ ପରିବାର ଭାରତକୁ ଆସି ଫିଲ୍ମର ମଜା ଉଠାଇଥିଲେ। ତେବେ ଏବେ ଜଣେ ପାକିସ୍ତାନୀ କଳାକାର ଶାହରୁଖଙ୍କ ପ୍ରତି ତାଙ୍କ ଭଲପାଇବା ଦର୍ଶାଇଛନ୍ତି। ପାକିସ୍ତାନର ବେଲୁଚିସ୍ତାନ ବେଳାଭୂମିରେ ସମୀର ଶୌକତ ନାମକ ବାଲୁକାଶିଳ୍ପୀ ତାଙ୍କ ଟୁଇଟର ପେଜ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ତାଙ୍କ ଟିମ୍‌ ସହ ମିଶି ସମୁଦ୍ରକୂଳରେ ଶାହରୁଖଙ୍କ ଏକ ବିଶାଳ ବାଲୁକାଚିତ୍ର ତିଆରି କରିଛନ୍ତି। ଫଟୋ ଶେୟାର କରି ଲେଖିଛନ୍ତି, ଶାହରୁଖଙ୍କ ସବୁଠୁ ବଡ଼ ସ୍କେଚ୍‌ ତାଙ୍କ ଟିମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ତାଙ୍କ ଟିମ୍‌ ପକ୍ଷରୁ ଶାହରୁଖଙ୍କୁ ଉପହାର। ଶାହରୁଖଙ୍କ ଏହି ଚିତ୍ରଟିର ଫଟୋ ଏକ ଡ୍ରୋନ୍‌ ସାହାଯ୍ୟରେ ନିଆଯାଇଛି। କଳାକାରମାନେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ କଳାକାରମାନେ ଶାହରୁଖଙ୍କ ବାଲୁକାଚିତ୍ର ଆଙ୍କୁଥିବାର ନଜର ଆସିଛି।

Share