ଭଙ୍ଗାହାଡ଼ର ଛବି

ଲୁହାଛଡ଼ର ଛାଞ୍ଚରେ ଇଟା-ବାଲି-ସିମେଣ୍ଟ ଲଗାଇ ବଡ଼ ବଡ଼ କୋଠାଘର ତିଆରି ହୁଏ। ଛାଞ୍ଚ ନ ରହିଲେ କୋଠାଘର ଛିଡ଼ା ହୋଇପାରିବ ନାହିଁ। ଠିକ୍‌ ସେମିତି, ଆମ ଶରୀରକୁ ତିଆରି କରିବା ପାଇଁ ମୂଳ ଛାଞ୍ଚ ହେଉଛି ହାଡ଼କଙ୍କାଳ (ସ୍କେଲିଟନ୍‌), ଯାହା ଉପରେ ମାଂସ ଓ ଚର୍ମ ଲାଗିଲେ ଶରୀର ଗଢ଼ା ହୁଏ। ଶରୀର ଭିତରେ କଙ୍କାଳ ନ ରହିଲେ ଆମେ ସିଧା ଛିଡ଼ାହୋଇ ପାରିବା ନାହିଁ। ପିଲାଟିଏ ଜନ୍ମ ହେବା ସମୟରେ ତା’ କଙ୍କାଳରେ ୩୦୬ ଖଣ୍ଡ ହାଡ଼ ଥାଏ। କିନ୍ତୁ ବଡ଼ ହେଲା ପରେ ସେଗୁଡ଼ିକ ଯୋଡ଼ିହୋଇ ୨୦୬ ଖଣ୍ଡ ହାଡ଼ରେ ପରିଣତ ହୁଏ। ତେଣୁ ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଅଛି ବୋଲି ଆମେ କହୁ। ଜଣେ ବୟସ୍କ ବ୍ୟକ୍ତିର ସେଇ ୨୦୬ ଖଣ୍ଡ ହାଡ଼କୁ ଓଜନ କଲେ ପାଖାପାଖି ୨୦ କିଗ୍ରା ହେବ। ହାଡ଼ଗୁଡ଼ିକ ଶକ୍ତ ଥାଏ ବୋଲି ଆମେ ସିଧା ଚାଲିପାରୁ ଓ କଷ୍ଟ କାମ କରିପାରୁ। କିନ୍ତୁ ଜୋର୍‌ ଆଘାତ ପାଇଲେ ଆମର ହାଡ଼ ବି ଭାଙ୍ଗି ଯାଇପାରେ। ଚମଡ଼ା ଭିତରେ ଥିବା ଭଙ୍ଗାହାଡ଼ର ଛବି ଦେଖିବା ପାଇଁ ‘ଏକ୍ସ-ରେ’ କରାଯାଏ।
କଥା, ଆମେ କହୁ, ହାଡ଼ ଭାଙ୍ଗିଥିଲା, ତେଣୁ ଏକ୍ସ-ରେ କଲୁ। ପ୍ରକୃତରେ ଏକ୍ସ-ରେ ହେଉଛି ଆଲୋକ ଭଳି ଏକ ବିକିରଣ, ଯାହାକୁ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗ ବୋଲି କୁହାଯାଏ। ହାଡ଼ ଭାଙ୍ଗିଥିଲେ ଆମେ କ’ଣ ସେଇ ବିକିରଣକୁ ତିଆରି କରୁ? ନା, ଆମେ କାହିଁକି ତାକୁ ତିଆରି କରିବୁ? ଠିକ୍‌ କଥାଟା ହେଉଛି, ସେହି ଏକ୍ସ-ରେ ବିକିରଣକୁ ବ୍ୟବହାର କରାଯାଇ ଚମଡ଼ା ଓ ମାଂସ ଭିତରେ ଲୁଚି ରହିଥିବା ହାଡ଼ର ଫଟୋ ଉଠାଯାଏ। ଏଇଠି ଗୋଟେ କଥା ମନେ ପକେଇବା। ଆମେ କ’ଣ କ୍ୟାମେରା ବା ମୋବାଇଲ ଦ୍ୱାରା ଫଟୋ ଉଠେଇବା ପାଇଁ ଏକ୍ସ-ରେ ବିକିରଣ ବ୍ୟବହାର କରୁ କି? ନା, ଆଦୌ ନୁହେଁ, ‘ଏକ୍ସ-ରେ’ ବିକିରଣ ବ୍ୟବହାର ହୁଏ ନାହିଁ। ବରଂ କ୍ୟାମେରାରେ ଆମେ ଫଟୋ ଉଠେଇବା ସକାଶେ ସାଧାରଣ ଆଲୋକର ସାହାଯ୍ୟ ନେଉ। ଏବେ ମନରେ ପ୍ରଶ୍ନ ଉଠୁଛି, ସାଧାରଣ ଆଲୋକ ବ୍ୟବହାର କରି ହାଡ଼ର ଫଟୋ ଉଠେଇବା ସମ୍ଭବ ନୁହେଁ କାହିଁକି?
ସାଧାରଣ କ୍ୟାମେରାରେ ଆମର ଫଟୋ କେମିତି ଉଠାଯାଏ, ସେକଥା ପ୍ରଥମେ ବୁଝିବା। ଆମ ଉପରେ ସାଧାରଣ ଆଲୋକ ପଡ଼ିଲେ, ଆମ ଶରୀରରୁ ମଧ୍ୟ ଆଲୋକ ବିକିରଣ ହୁଏ। କ୍ୟାମେରାର ଅତି ସରୁ କଣା ଦେଇ ସେହି ବିକିରଣ କ୍ୟାମେରା ଭିତରକୁ ଯାଇ ଝରକା ପରି କାମ କରୁଥିବା ଏକ ପରଦା ଉପରେ ଆମର ଅବିକଳ ଓଲଟା ଛବି ତିଆରି କରେ। ସେଇ ପରଦା ଓ ସରୁ କଣା ମଧ୍ୟରେ ଦୂରତାକୁ କମ୍‌-ବେଶି କରି ସେଇ ଛବିକୁ ଅଧିକ ସ୍ପଷ୍ଟ ଓ ପରିଷ୍କାର କରାଯାଏ। ତା’ ପରେ ବଟନ୍‌ରେ କ୍ଲିକ୍‌ କଲେ ନିମିଷକ ପାଇଁ ଝରକା ଖୋଲିଯାଏ ଓ ଛବିଟି ଯାଇ ଝରକା ପଛପଟେ ଥିବା ଅତି ସମ୍ବେଦନଶୀଳ (ସେନ୍‌ସିଟିଭ୍‌) ପରଦା ଉପରେ ପଡ଼େ। ସେହି ପରଦାରେ ରାସାୟନିକ ପଦାର୍ଥର ଲେପ ଥାଏ, ଯାହାକି ଆଲୋକ ସହିତ ପ୍ରତିକ୍ରିୟା କରେ। ଛବି ହେଉଛି ଆଲୋକ ଓ ଛାଇର ଏକ ସୁନ୍ଦର ସଜ୍ଜା। ଆମର ଓଲଟା ଛବିର ଯେଉଁ ଯେଉଁ ଜାଗାରେ ଆଲୋକ ଥାଏ, ପରଦାର ସେଇ ଅଞ୍ଚଳରେ ପ୍ରତିକ୍ରିୟା ହୁଏ ଓ ସେଠାରେ ଦାଗ ସୃଷ୍ଟି ହୁଏ। ଛବିରେ ଆଲୋକ ନଥିବା ଅଞ୍ଚଳରେ ପ୍ରତିକ୍ରିୟା ହୁଏ ନାହିଁ କି ଦାଗ ସୃଷ୍ଟି ହୁଏ ନାହିଁ। ତେଣୁ ପରଦା ଉପରେ ଦାଗର ଏକ ସୁନ୍ଦର ପରିପାଟୀ ତିଆରି ହେଇଯାଏ। ଏହିପରି ପରଦା ଉପରେ ଆମର ଅବିକଳ ଛବି ଆଙ୍କି ହୋଇଯାଏ।
ଛବି ଉଠିଲା ବେଳେ ଆହୁରି ଅଦ୍ଭୁତ ଘଟଣା ଘଟେ। ସାଧାରଣ ଆଲୋକ ଆମ ଉପରେ ପଡ଼ିଲେ, ସେଇଠି ଅଟକିଯାଏ। ହେଲେ ‘ଏକ୍ସ-ରେ’ ବିକିରଣ ଆମ ଶରୀର ଭିତରକୁ ପ୍ରବେଶ କରିପାରେ। କାରଣ ଏହି ବିକିରଣର ଆମ ଶରୀର ଭିତରେ ପଶିପାରିବା ସକାଶେ ଯଥେଷ୍ଟ ଶକ୍ତି ଅଛି। ଆଲୋକର ଶକ୍ତିକୁ ବୈଜ୍ଞାନିକମାନେ ‘ଇଭି’ ଏକକରେ ମାପ କରନ୍ତି, ଯେମିତି ସମୟକୁ ‘ମିନିଟ୍‌’ ଓ ଉଚ୍ଚତାକୁ ‘ମିଟର’ ଏକକରେ ମପାଯାଏ। ‘ଇଭି’ର ୧୦୦୦ ଗୁଣ ହେଉଛି ‘କେଇଭି’ ଏକକ। ଆମେ ଦେଖୁଥିବା ବିଭିନ୍ନ ରଙ୍ଗର ଆଲୋକ ଭିତରୁ ନୀଳ ଆଲୋକର ଶକ୍ତି ଅଧିକ, ଯାହାର ମୂଲ୍ୟ ପାଖାପାଖି ୨.୬୪ ଇଭି।
କିନ୍ତୁ ଏକ୍ସ-ରେ ବିକିରଣର ଶକ୍ତି ଖୁବ୍‌ ଅଧିକ, ୧୨୪ ଇଭିରୁ ୧୨୪ କେଇଭି।
ହାଡ଼ର ଫଟୋ ଉଠେଇବା ପାଇଁ ବ୍ୟବହୃତ ଏକ୍ସ-ରେ ବିକିରଣର ଶକ୍ତି ୧୦ କେଇଭିରୁ ଅଧିକ ଥାଏ। ତେଣୁ ସାଧାରଣ ଆଲୋକର ଶକ୍ତିକୁ ଦେଖିଲେ ସେହି ଏକ୍ସ-ରେ ବିକିରଣ ଅତି କମ୍‌ରେ ୪୦୦୦ ଗୁଣ ଶକ୍ତିଶାଳୀ। ଏତେ ଶକ୍ତିଶାଳୀ ବିକିରଣ ଆମ ଶରୀର ଭିତରେ ସହଜରେ ପ୍ରବେଶ କରିପାରିବ।
ଲୋକଟିର ପାପୁଲି ଭିତରେ ହାଡ଼ ଭାଙ୍ଗିଛି। ଭଙ୍ଗାହାଡ଼ର ଫଟୋ ଉଠେଇବା ପାଇଁ ଲୋକଟି ଏକ୍ସ-ରେ ମେଶିନ୍‌ ଆଗରେ ଟେବୁଲ ପାଖରେ ବସିବ ଓ ସେହି ହାତକୁ ଟେବୁଲ ଉପରେ ରଖିବ, ଯେପରି କହୁଣିଠାରୁ ହାତପାପୁଲି ପର୍ଯ୍ୟନ୍ତ ଅଂଶ ଟେବୁଲକୁ ସିଧା ଭାବରେ ଛୁଇଁବ। ‘ଏକ୍ସ-ରେ’ ମେଶିନ୍‌ ସହିତ ଲାଗିଥିବା ଏକ ଛୋଟ ବାକ୍‌ସକୁ ପାପୁଲିର ଠିକ୍‌ ଉପରେ ହାତେ କି ଦୁଇହାତ ଉଚ୍ଚତାରେ ରଖାଯିବ। ଟେକ୍ନିସିଆନ୍‌ ସୁଇଚ୍‌ ଅନ୍‌ କରିବେ ଓ ସଙ୍ଗେ ସଙ୍ଗେ ଅଫ୍‌ କରିବେ। ସେଇ କେଇଟା ମୁହୂର୍ତ୍ତ ଭିତରେ ବାକ୍‌ସରୁ ଅତି ଶକ୍ତିଶାଳୀ ଏକ୍ସ-ରେ ବିକିରଣ ବାହାରି ପାପୁଲି ଉପରେ ପଡ଼ିବ ଏବଂ ପାପୁଲିକୁ ଅତିକ୍ରମ କରି ଟେବୁଲ ତଳେ ଥିବା ଫଟୋ-ପ୍ଲେଟ୍‌କୁ ଛୁଇଁବ। ସେହି ପ୍ଲେଟ୍‌ ଉପରେ ସମ୍ବେଦନଶୀଳ ରାସାୟନିକ ପଦାର୍ଥର ପତଳା ଲେପ ଥାଏ। ପ୍ଲେଟ୍‌ର ଯେଉଁ ଅଞ୍ଚଳରେ ଏକ୍ସ-ରେ ପଡେ, ସେହି ଅଞ୍ଚଳରେ ରାସାୟନିକ ପଦାର୍ଥ ସହିତ ପ୍ରତିକ୍ରିୟା କରେ। ଫଳରେ ସେଇ ସ୍ଥାନରେ ଦାଗ ସୃଷ୍ଟି ହୁଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାପୁଲିର ଚର୍ମ ଓ ମାଂସକୁ ଏକ୍ସ-ରେ ଭେଦ କରିପାରେ, କିନ୍ତୁ ହାଡ଼କୁ ଅତିକ୍ରମ କରିପାରେ ନାହିଁ। ତେଣୁ ପାପୁଲିର ହାଡ଼ ତଳେ ରହିଥିବା ଜାଗାରେ ଏକ୍‌ସ୍‌-ରେ ପହଞ୍ଚତ୍ପାରେ ନାହିଁ କି ପ୍ଲେଟ୍‌ର ସେହି ଅଞ୍ଚଳରେ ଦାଗ ପଡେ ନାହିଁ। ଏହିପରି ପ୍ଲେଟ୍‌ ଉପରେ ପୂରା ପାପୁଲିର ଛବି ନୁହେଁ, କେବଳ ପାପୁଲି-ହାଡ଼ର ଛବି ଆଙ୍କି ହୋଇଯାଏ। ସେହି ଛବିକୁ ପ୍ଲେଟ୍‌ ଭିତରେ ସ୍ଥାୟୀ ଭାବରେ ରଖିବା ପାଇଁ ଟେକ୍‌ନିସିଆନ୍‌ ପ୍ଲେଟ୍‌କୁ ନେଇ ଡାର୍କରୁମ୍‌ ଭିତରେ ପ୍ରୋସେସିଙ୍ଗ୍‌ କରନ୍ତିି ଓ ତା’ ପରେ ଭଙ୍ଗାହାଡ଼ର ଛବି ଥିବା ସେହି ଏକ୍ସ-ରେ ପ୍ଲେଟ୍‌କୁ ଆମକୁ ଦିଅନ୍ତି। ଏମିତି ଦେଖିଲେ ପ୍ଲେଟ୍‌ ପୂରା କଳା ଦିଶେ। କିନ୍ତୁ ଏହାକୁ ଆଲୋକ ସାମ୍‌ନାରେ ଧରି ଭିତରକୁ ଅନେଇଲେ ପାପୁଲି ଭିତରର ହାଡ଼କୁ ସ୍ପଷ୍ଟ ଦେଖିହୁଏ। ହାଡ ଭାଙ୍ଗିଥିଲେ, ସେହି ଛବିରୁ ଜଣା ପଡ଼େ। କହିବା ବାହୁଲ୍ୟ, ଯଦି ‘ଏକ୍ସ-ରେ’ ବିକିରଣ ଆମର ହାଡ଼ ଭିତର ଦେଇ ଗଳିଯାଇପାରନ୍ତା, ତେବେ ହାଡ଼ର ଛବି ଉଠିପାରନ୍ତା ନାହିଁ।

କମଳାକାନ୍ତ ଜେନା
-ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଭଦ୍ରକ, ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri