ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରକୁ ଜିଲା ସଦର ମହକୁମା ଭବାନୀପାଟଣା ସହ ସଂଯୋଗ କରୁଥିବା ମୁଖ୍ୟ ସଡ଼କରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୁରୁଣାଗୁମା-ପିପଲ ଘାଟି ଗଡାଣି ସେମେଲପଦର୍ ଘାଟି ନିକଟରେ ଏକ ପିକ୍ଅପ୍ ଭ୍ୟାନ ହଠାତ୍ ନିୟନ୍ତ୍ରଣ ହରାଇ ମଝି ରାସ୍ତାରେ ଓଲଟି ପଡ଼ିବା ଫଳରେ ଉଭୟ ପାର୍ଶ୍ୱରୁ ଯାତାୟାତ ବ୍ୟବସ୍ଥା କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କୌଣସି ପ୍ରାଣହାନୀ ଘଟିନାହିଁ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଏମଏଚ୪୦ବିଏଲ୦୪୦୮ ନମ୍ବର ବିଶିଷ୍ଟ ଏକ ପିକ୍ଅପ୍ ଗାଡ଼ି ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ କର୍ଲାପାଟ ଥାନା ଅନ୍ତର୍ଗତ ପୁରୁଣାଗୁମା ଓ ସେମେଲପଦର୍ ଘାଟି ମଧ୍ୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଗାଡ଼ିରେ ସଡ଼କ ଉପରେ ରଙ୍ଗ ଚିହ୍ନ ଅଙ୍କନ ପାଇଁ ବ୍ୟବହୃତ ହେଉଥିବା ଏକ ମେଶିନ ବୋଝେଇ ହୋଇଥିଲା। ଘାଟି ଗଡାଣିରେ ମେଶିନର ଭାର ଅଧିକ ହେବା ଯୋଗୁ ଗାଡ଼ିଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଅନୁମାନ କରାଯାଉଛି। ଏହି ବ୍ୟସ୍ତବହୁଳ ମୁଖ୍ୟ ମାର୍ଗର ମଝି ରାସ୍ତାରେ ଗାଡ଼ିଟି ଓଲଟି ପଡ଼ିବାରୁ ଭବାନୀପାଟଣା ଏବଂ ଥୁଆମୂଳ ରାମପୁର ଉଭୟ ଦିଗରୁ ଆସୁଥିବା ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଗାଡ଼ିମୋଟର ରାସ୍ତା କଡ଼ରେ ଅଟକି ରହିଥିଲା। ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହେବା ଯୋଗୁ ଯାତ୍ରୀ ଏବଂ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ କର୍ଲାପାଟ ପୋଲିସ ତୁରନ୍ତ ଉଦ୍ଧାରକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ କ୍ରେନ ଯୋଗେ ମଝି ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍କୁ ହଟାଇବା ପରେ ଯାନବାହନ ଚଳାଚଳ ପୁନର୍ବାର ସ୍ବାଭାବିକ ହୋଇଛି। ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଥୁଆମୂଳ ରାମପୁର ଅଞ୍ଚଳର ଏହି ପ୍ରମୁଖ ଯୋଗାଯୋଗ ମାର୍ଗରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।

