ଓଲଟିଲା ପିକଅପ୍‌ ଭ୍ୟାନ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୧୭ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେରାଣ୍ଡିମାଳ ପର୍ବତ ଶିଖରରେ ଅବସ୍ଥିତ ମା’ ବାଙ୍କେଶ୍ୱରୀଙ୍କୁ ଦର୍ଶନ ପାଇଁ ଯାଉଥିବା ଏକ ପିକଅପ ଭ୍ୟାନ୍‌ ଶୁକ୍ରବାର ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଗୁରୁତର ହୋଇଛନ୍ତି। ଆହାତ ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଖଇରପଙ୍କ ଗ୍ରାମର ଲିଙ୍ଗା କନିୟାରୀ (୪୨)। ଗୁରୁତରମାନେ ହେଲେ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମର ବୃନ୍ଦା କନିୟାରୀ, ଭାଗ୍ୟଲତା ବାଡତ୍ୟା, ରମ୍ଭା ପ୍ରଧାନ, ଏଲ୍‌ .ଦମୟନ୍ତୀ।
ମିଳିଥିବା ସୂଚନା ମୁତାବକ, ଖଇରପଙ୍କ ଗ୍ରାମର ଡି. ଜାଗିଲିଙ୍କ ପୁଅର ମାନସିକ ପୂଜା କାର୍ଯ୍ୟ ସହ ମୁଣ୍ଡନ ନିମନ୍ତେ ଏକ ପିକଅପ ଭ୍ୟାନ୍‌ରେ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ପୀଠକୁ ଯାଉଥିଲେ। ତେବେ ୪୦ରୁ ଊଦ୍ଧର୍‌ବ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ପିକ୍‌ ଅପ୍‌ ଭ୍ୟାନଟି ଘାଟି ରାସ୍ତାର ପିଲିକାଢିଅ ଗ୍ରାମ ନିକଟସ୍ଥ ମଗୁରମା ନାଳ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପ୍ରଚାରିତ ହେବା ପରେ ନିକଟସ୍ଥ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଲିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ୪ ଜଣଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଦିଗପହଣ୍ଡି ପୋଲିସ ମାମଲା ରୁଜୁ କରିଛି। ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ପିକଅପ୍‌ ଭ୍ୟାନକୁ ପୋଲିସ ଜବତ କରିଛି। ଚାଳକ ଫେରାର ଥିବା ଜଣାପଡ଼ିଛି।