Categories: Uncategorized

ବୈତରଣୀ ନଦୀଶଯ୍ୟାରୁ ବାଲି, ପଥର ଉଠାଣ

ଝୁମ୍ପୁରା,୧୪।୧୧(ଶଶିଭୂଷଣ ସାହୁ): କେନ୍ଦୁଝର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ବ ସର୍କଲରେ ଉନ୍ନୟନମୂଳକ କାମ ଆଳ ଦେଖାଇ ପ୍ରକୃତି ପ୍ରଦତ୍ତ ନଦୀ, ଝରଣା, ଜଙ୍ଗଲ ଆଦି ଲଘୁ ଖଣିଜ ନଷ୍ଟ କରାଯାଉଛି। ରାଜସ୍ବ ବିଭାଗର ନୀରବତା କାରଣରୁ ରାଜସ୍ବ କ୍ଷତି ହେଉଛି। ଏ ନେଇ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ବାସିନ୍ଦା ରାଜସ୍ବ ସର୍କଲରେ ଅଭିଯୋଗ ତଥା ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ସମ୍ପୃକ୍ତ ଅଧିକାରୀ ଉକ୍ତ ଜାଗା ଦେଖିବା ପାଇଁ ମଧ୍ୟ ଯାଉ ନ ଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଆବଶ୍ୟକତା ଦୃଷ୍ଟିରୁ ମଲଦା ପଞ୍ଚାୟତର ପଟୁଆକୁଦ-ବସନ୍ତପୁର ରାସ୍ତାର ବୈତରଣୀ ନଦୀ ଉପରେ ବିଜୁସେତୁ ଯୋଜନାରେ ଏକ ପୋଲ ନିର୍ମାଣାଧୀନ ରହିଛି। କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ (ଡିଭିଜନ-୨) ଦ୍ୱାରା ଟେଣ୍ଡର କରାଯାଇ ନିର୍ମାଣାଧୀନ ପୋଲର ବ୍ୟୟ ଅଟକଳ ୯ କୋଟି ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ସୂଚନା ଫଳକ ଅନୁଯାୟୀ, ପୋଲ ନିର୍ମାଣ ୪ ଏପ୍ରିଲ ୨୦୧୮ ମସିହାରେ ଶେଷ ହେବାର ଥିଲେ ହେଁ କାମ ଏଯାଏ ସରିନାହିଁ। ପୋଲ ନିର୍ମାଣରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଠିକାଦାର ସବୁ ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ଧମକ ଦେବା ସହ ନିଜର ମନମାନିରେ କାମ କରୁଛନ୍ତି। ବର୍ତ୍ତମାନ ପୋଲର ଆପ୍ରୋଚ୍‌ ରାସ୍ତା ନିର୍ମାଣ ଚାଲୁ ରହିଥିବା ବେଳେ ଠିକାଦାର ସଂସ୍ଥା ବୈତରଣୀ ନଦୀଶଯ୍ୟାରୁ ବେନିୟମ ଭାବେ ବାଲି, ପଥର ଉଠାଇ ଆପ୍ରୋଚ୍‌ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଛି। ଏହି ଜାଗାରେ ସାଧାରଣତଃ ନଦୀର ସ୍ରୋତ ଖୁବ୍‌ ପ୍ରଖର ହୋଇଥାଏ। ନଦୀଶଯ୍ୟାରୁ ବାଲି ପଥର ଉଠାଇବା ଯୋଗୁ ନଦୀର ଗତିପଥ ବଦଳିବା ଆଶଙ୍କା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରୁଛି। ନଦୀରେ ପୋକ୍‌ଲିନ୍‌ ମେଶିନ ଲଗାଇ ହାଇୱା ଗାଡ଼ି ସାହଯ୍ୟରେ ବାଲିପଥର ବୁହାଯାଉଥିଲେ ହେଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ରାଜସ୍ବ ବିଭାଗ ଅଧିକାରୀ ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି, ଅଭିଯୋଗ ମିଳିଛି, କ’ଣ ହୋଇଛି ଦେଖିବେ। ମଲଦା ରାଜସ୍ବ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ପାତ୍ର କହିଛନ୍ତି, ଏ ନେଇ ମୋ ପାଖରେ ଖବର ନାହିଁ, କ’ଣ ହୋଇଛି ତଦନ୍ତ କରିବେ।