ପିକ୍‌ଅପ୍‌-ବାଇକ୍‌ ମୁହାଁମୁହିଁ, ଜଣେ ମୃତ;୨ ଗୁରୁତର

ବିଶୋଇ,୫ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୫୦ ନଂ. ରାଜ୍ୟ ରାଜପଥର ମଧୁପୁର ଛକ ନିକଟରେ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ ଓ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବିଶୋଇ ଥାନା ଅଧୀନ ଲୁହାକାନି ପଞ୍ଚାୟତସ୍ଥିତ ଜେଡେରଘୁଟୁ ଗ୍ରାମର ଦାସମାତ ହେମ୍ବ୍ରମ (୫୦) ଏବଂ ଅନ୍ୟ ୨ ଜଣ ଗୁରୁତର ହେଲେ ସେହି ଗ୍ରାମର ବୁଢାନ ମୁର୍ମୁ(୨୫) ଓ କାରା ମୁର୍ମୁ (୪୦)।

ସୂଚନାଥାଉକି, ଉକ୍ତ ୩ ଜଣ ରାଶନ ଚାଉଳ ଆଣିବା ପାଇଁ ଏକ ବାଇକ୍‌ ଯୋଗେ ନିଜ ଗ୍ରାମରୁ କୁହାକାନି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ। ତେବେ ଏହି ସମୟରେ ବାଲେଶ୍ୱରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଏକ ମିନି ପିକ୍‌ଅପ୍‌ ଭ୍ୟାନ୍‌ ମଧୁପୁର ଛକଠାରେ ଭାରସାମ୍ୟ ହରାଇ ଉକ୍ତ ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ୩ ବାଇକ୍‌ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଖବରପାଇ ବିଶୋଇ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଦାସମାତ ମୁର୍ମୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଶୋଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭରଙ୍କୁ ଅଟକ ରଖିଛି।