ଟ୍ରକ୍‌ ପଛରେ ପିଟିଲା ପିକ୍‌ଅପ୍‌, ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବଜାର ନିକଟରେ ଏକ ଟ୍ରକ୍‌ ପଛରେ ପିକ୍‌ଅପ୍‌ଟି ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, ଓଡି ୧୪ ଏଏ ୧୪୮୧ ଟମାଟୋ ବୋଝେଇ ପିକ୍‌ଅପ୍‌ଟି ରାଉରକେଲାରୁ ଖୁଣ୍ଟଗାଁ ବଜାରକୁ ଆସୁ ଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ବିରତୋଲା ବଜାର ନିକଟରେ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟି ହୋଇଯାଇଥିଲା। ଫଳରେ ପିକ୍‌ଅପ୍‌ରେ ବସି ଥିବା ଦୁଇ ଜଣ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ରାଉଲକେଲାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଛିଡ଼ା ହୋଇଥିବା ଟ୍ରକ୍‌ଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି। ପିକ୍‌ଅପ୍‌ରେ ଥିବା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜୁନିୟାନି ଗ୍ରାମର ରୋଶନ ଅଲ୍ଲୀ (୪୯) ଓ ମୃତକ ଜଣକ ଚୋରଧରା ଗ୍ରାମର ଟିଲୁ ମୁଣ୍ଡାଙ୍କ ପୁଅ ଗୋଲରାମ ମୁଣ୍ଡା(୧୫) ବୋଲି ଜଣାପଡ଼ିଛି।