ନିର୍ମାଣର ମାସେ ନ ପୂରୁଣୁ ଉଠିଲା ପିଚୁ

ଚଣ୍ଡିଖୋଲ,୨୪ା୨(ଡି.ଏନ.ଏ.):ଯାଜପୁର ଜିଲା ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନରେ ରହିଛି ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତା। ଏହି ରାସ୍ତା ନିର୍ମାଣ ଗତ ମାସରେ ସମ୍ପୂର୍ଣ୍ଣ ହୋଇଥିଲାବେଳେ ଏହାକୁ ମାସେ ନ ପୁରୁଣୁ ଏଥିରୁ ପିଚୁ ଉଠି ଯାଇଥିବା ଦେଖାଦେଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି।
ଜାରକା ଡିଭିଜନ ଓ ଚଣ୍ଡିଖୋଲ ସବ୍‌ଡିଭିଜନ ଅଧୀନରେ ରହିଥିବା ବାଉଜଙ୍ଗ ଧାଉଡ଼ିଆପଦା ରାସ୍ତା କାର୍ଯ୍ୟ ୨୦୨୧ ମେ’୨୭ରେ ଆରମ୍ଭ ହୋଇଥିଲା। ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ପାଇଁ ୩କୋଟି ୪୫ ଲକ୍ଷ ୧୭ହଜାର ୨୨୧ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ନିର୍ମାଣର ଶେଷ ଅବଧି ରହିଥିଲା ୨୦୨୨ ଏପ୍ରିଲ୍‌ ୨୬। ଏକ ବର୍ଷ ମଧ୍ୟରେ ରାସ୍ତା କାମ ଶେଷ କରିବାକୁ ଠିକାଦାର ପ୍ରିୟବ୍ରତ ସାମଲଙ୍କୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅବଧି ସମୟ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହେଲାନାହଁି। ବାରମ୍ବାର ଅବଧି ସମୟ ବୃଦ୍ଧି କରାଯାଇ ଗତ ଜାନୁୟାରୀରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହି ରାସ୍ତାର ୫ କି.ମି. ୫୦୦ ମିଟର ଲମ୍ବ ରହିଥିଲାବେଳେ ଏହାର ୧.୫ କିଲୋମିଟର କଂକ୍ରିଟ୍‌ ଓ ୪ କିଲୋମିଟର ପିଚୁ କରାଯିବ ବୋଲି ବରାଦ କରାଯାଇଥିଲା। ଯଦିଓ ରାସ୍ତାଟି କେନାଲ ଉପରିଭାଗରେ ଯାଇଛି ସେଥିପାଇଁ ଉଭୟ ପଟରେ ପାଚେରି ନିର୍ମାଣ କରିବାକୁ କୁହାଯାଇଥିଲା। ତେବେ ଏହି କାର୍ଯ୍ୟ ସମୟରେ ବିଭାଗୀୟ ନିର୍ଦ୍ଦେଶନାମାକୁ ଅନୁପାଳନ କରା ଯାଇନାହଁି। ତେଣୁ ଖୁବ୍‌ କମ୍‌ ଦିନ ଭିତରେ ରାସ୍ତାର ଉଭୟ ପାର୍ଶ୍ୱ ଭୁଶୁଡ଼ି ଯିବା ଆଶଙ୍କା ସୃଷ୍ଟି ହୋଇଛି। ରାସ୍ତାରେ ଗତ ଜାନୁୟାରୀରେ ପିଚୁ କାର୍ଯ୍ୟ ଶେଷ କରାଯାଇଥିଲା। ଏହା ମଧ୍ୟରେ ମାତ୍ର ୨୦ ଦିନ ବିତିଛି। ହେଲେ ରାସ୍ତାରୁ ପିଚୁ ଉଠିଗଲାଣି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ନିର୍ମାଣ ଆରମ୍ଭ ସମୟରେ ଫଳକ ଲଗାଯିବା କଥା। ମାତ୍ର ଏଠାରେ ଠିକାଦାର ଏହାକୁ ଅଣଦେଖା କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଗ୍ରସ୍ତ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନାହଁି। କେବଳ ସେତିକି ନୁହେଁ ଏହି ରାସ୍ତାରେ ପ୍ରତ୍ୟେକ ବର୍ଷ ବିଭାଗ ତରଫରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର ଏତେ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରି ନାହଁି। ଏ ସମ୍ପର୍କରେ ବିଭାଗୀୟ ସହାକରୀ ନିର୍ବାହୀ ଯନ୍ତ୍ରୀ ଜଳନ୍ଧର ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ରାସ୍ତା ପରିଦର୍ଶନ କରିବା ପରେ ପରିସ୍ଥିତି ସମ୍ପର୍କରେ ମତ ଦେବେ। ଏବେ ଦେଖିବାକୁ ଅପେକ୍ଷା କେବେ ସେ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି।