ନିର୍ମାଣର ୧ ମାସ ପରେ ଉଠିଯାଉଛି ପିଚୁ

ବାଲିକୁଦା,୧୪ା୨(ସ୍ବ.ପ୍ର.):ଜଗତ୍‌ସିଂହପୁର ଗ୍ରାମ ଉନ୍ନୟନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାସେ ପୂର୍ବେ ମରିଚପୁର-ବନ୍ଦର ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ଏଠାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଜିଲାର ବଙ୍ଗୋପସାଗର ଓ ଦେବୀନଦୀର ସଙ୍ଗମସ୍ଥଳ ହେଉଛି ବନ୍ଦର ା ଏଠାରେ ମା’ ବନ୍ଦରେଇଙ୍କ ପୀଠ ରହିଛି ା ଏଠାକାର ନଦୀ ଓ ଜଙ୍ଗଲରେ ଭରା ଏହି ଅଞ୍ଚଳକୁ ବିଭିନ୍ନ ସ୍ଥାନରୁ ଲୋକେ ବଣଭୋଜି କରିବା ପାଇଁ ଆସିଥାନ୍ତି। ଏଠାରେ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିହୁଡିଠାରୁ ବନ୍ଦର ଭାୟା ନହରଣା ମରିଚପୁର ପର୍ଯ୍ୟନ୍ତ ୫ କି.ମି ରାସ୍ତା ସମ୍ପ୍ରସାରଣ ପାଇଁ ୨କୋଟି ୬୨ଲକ୍ଷ ୭୫ ହଜାର ୯୦୬ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ମାତ୍ର ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରିଥିବାରୁ ନିର୍ମାଣ ସରିବା ପରେ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଉଥିବା ଅଭିଯୋଗ ହୋଇଛି। ଏହି ରାସ୍ତାରେ ଥିବା ପୁରୁଣା ପିଚୁ ଓ ମେଟାଲକୁ ତାଡି ବାହାର କଲା ପରେ ନୂତନ ଭାବେ ମେଟାଲିଂ କରି ପିଚୁ ପକାଇବା ବଦଳରେ ଠିକାଦାର କେତେକାଂଶରେ ପୁରୁଣା ମେଟାଲକୁ ବ୍ୟବହାର କରି ଭଲ ଭାବରେ ଡଷ୍ଟ ସଫା ନକରି ପିଚୁ ପକାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଘଟଣାସ୍ଥଳକୁ ଆସି ତଦନ୍ତ କରି ନ ଥିବାରୁ ଠିକାଦାର ମନମୁଖି ଭାବେ କାମ କରିଥିବା ନେଇ ଗ୍ରାମର ପ୍ରବିର ସ୍ବାଇଁ, ଦୀଲିପ ବେହେରା, ପ୍ରକାଶ ବିଶ୍ୱାଳ, ସନ୍ତୋଷ ନାୟକ, ପ୍ରଭାସ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ା ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଗ୍ରାମ ନିର୍ମାଣ ବିଭାଜନ ନିର୍ବାହୀଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ କହିଛନ୍ତି, ମୁଁ ପୂର୍ବରୁ କେବେ ଅଭିଯୋଗ ପାଇନି ା ଯଦି ନିମ୍ନମାନର କାର୍ଯ୍ୟ ହୋଇଥାଏ କାର୍ଯ୍ୟାନୁଷ୍ଠାନ ନିଆଯିବ।