ଭୁବନେଶ୍ୱର,୧୦ା୬: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି। ସେ ହେଲେ ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳର ଶୁଭ୍ରଜିତ୍ ଜେନା (୩୨)। କୋର୍ଟଚାଲାଣ ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ୪ବର୍ଷ ତଳେ ଫେସ୍ବୁକ୍ରେ ଶୁଭ୍ରଜିତଙ୍କ ସମ୍ପର୍କରେ ଆସିଥିଲେ। ପରେ ଉଭୟଙ୍କ ସମ୍ପର୍କ ନିବିଡ ହୋଇଥିଲା। ଶୁଭ୍ରଜିତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନେକଥର ଶାରୀରିକ ସମ୍ପର୍କ ରଖିଥିଲେ। ଏପ୍ରିଲ ୧୩ରେ ଶୁଭ୍ରଜିତ ଛଳନା କରି କୋର୍ଟ ବିବାହ କରିବା ଲାଗି ପୀଡ଼ିତାଙ୍କୁ ପାହାଳସ୍ଥିତ ଏକ ଗେଷ୍ଟହାଉସ୍କୁ ଡାକି ଶାରୀରିକ ସମ୍ପର୍କ ରଖିଥିଲେ।
ବିବାହ ପାଇଁ କହିବାରୁ ଶୁଭ୍ରଜିତ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ୍ କରିଥିଲେ। ଏନେଇ ପୀଡ଼ିତାଙ୍କ ଏତଲାକ୍ରମେ ପୋଲିସ ଜୁନ୍ ୭ରେ ମାମଲା (ନଂ.୧୪୩/୨୦୨୫) ରୁଜୁ କରି ତଦନ୍ତ କରିଥିଲା।


