କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ ଅକାମୀ ଥିବାରୁ କେବଳ ଗୋଡ଼ ସାହାଯ୍ୟରେ ପରୀକ୍ଷାରେ ଲେଖିଥିଲେ।

ସିନ୍ଧରିମାଲ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ଛାତ୍ରୀ ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ ଡି ଗ୍ରେଡ ପାଇ କୃତକାର୍ଯ୍ୟ ହୋଇଛନ୍ତି। ଜନ୍ମରୁ ୨ ହାତ ଅକାମୀ ଥିଲେ ସୁଦ୍ଧା ସେ ଗୋଡ଼ରେ ଲେଖିବା ଅଭ୍ୟାସ ଜାରି ରଖିଥିଲେ।

ଲକ୍ଷ୍ମୀଙ୍କୁ ପରୀକ୍ଷା ସମୟରେ ବୋର୍ଡ ପକ୍ଷରୁ ରାଇଟର୍‌ ବା ସହଯୋଗୀଙ୍କ ବ୍ୟବସ୍ଥା ପାଇଁ କୁହାଯାଇଥିଲା। କିନ୍ତୁ ସେ ନିଜେ ଲେଖିବାକୁ ଜିଦ୍‌ ଧରିଥିଲେ। ଲକ୍ଷ୍ମୀଙ୍କ ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ, ବରଂ ସମଗ୍ର ଶିକ୍ଷା ଜଗତ ପାଇଁ ଏକ ବଡ଼ ଗୌରବ ବୋଲି ଜିଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପ୍ରାଣିଗ୍ରାହୀ କହିଛନ୍ତି। ଲକ୍ଷ୍ମୀଙ୍କୁ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Share