ଫିଲିପ୍ସଙ୍କ ଦମ୍‌ଦାର ବ୍ୟାଟିଂ: ଭାରତକୁ ୧୮୧ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୪।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୮୦ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ ଜିତିବା ପାଇଁ ଭାରତକୁ ୧୮୧ ରନ କରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ସ ଓ ବେଭନ ଜ୍ୟାକବ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଭଲ ରହି ନ ଥିଲା। ଦଳ ମାତ୍ର ୪୧ ରନ୍ରେ ପ୍ରଥମ ତିନିଟି ଉଇକେଟ ହରାଇଥିଲା। ତେବେ ଏହା ପରେ ଗ୍ଲେନ ଫିଲିପ୍ସ ଓ ବେଭନ ଜ୍ୟାକବ୍ସ ଦମଦାର ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଫିଲିପ୍ସ ୪୩ ବଲ୍‌ରେ ୪ଟି ଚୌକା ଓ ୪ଟି ଛକା ସହ ସର୍ବାଧିକ ୭୦ ରନ କରିଥିଲେ। ଅନ୍ୟପଟେ ଜ୍ୟାକବ୍ସ ୪୬ ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ୫୮ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଦଳ ପକ୍ଷରୁ ଫିନ ଆଲେନ ୧୬, ଟିମ ସିଫର୍ଟ ୭ ଓ ଡାରିଲ ମିଚେଲ ୬ ରନ କରିଥିଲେ। ଅଧିନାୟକ ମିଚେଲ ସାଣ୍ଟନର୍‌ ୪ ରନ ଓ ବ୍ରେସୱେଲ ୧୦ ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨ଟି ଉଇକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ପ୍ରିନ୍ସ ଯାଦବ ଓ ନୀତୀଶ କୁମାର ରେଡ୍ଡୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ ହେବା କାରଣରୁ ଈଶାନ କିଶନ ଦଳରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି। ସେ ତିନି ନମ୍ବରରେ ବ୍ୟାଟିଂ କରିବେ। ସେହିପରି ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏହି ମଇଦାନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତ ୪ ଉଇକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଭାରତ ୫ ମ୍ୟାଚ୍ର ସିରିଜ୍ରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟ ହାସଲ କରି ସିରିଜ୍ରେ ନିଜର ସ୍ଥିତି ମଜଭୁତ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ଖେଳାଳିମାନଙ୍କୁ ଥକାପଣ ଦୂର କରିବା ଓ ପର୍ଯ୍ୟାପ୍ତ ନିଦ ନେବା ପାଇଁ କିଛି ସମୟ ମିଳିଛି। ସମସ୍ତ ଖେଳାଳି ଶାରୀରିକ ଓ ମାନସିକ ଭାବେ ଫିଟ ଥିବା ସହ ଦଳର ପରିବେଶ ମଧ୍ୟ ଭଲ ରହିଛି। ମଇଦାନରେ ଖେଳାଳିମାନେ ନିଜର ଆକ୍ରମଣାତ୍ମକ ମନୋଭାବ ବଜାୟ ରଖିବା ଜରୁରୀ ବୋଲି ଆୟର କହିଥିଲେ।

 

Dharitri – Odisha’s No.1 Odia Daily

 

Share