ହାଟଡିହୀ/ଛେନାପଦୀ,୭।୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହଦଗଡ଼ ସାଳନ୍ଦୀ ନଦୀକୁ ଖସି ପଡି ଜଣେ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବନ୍ତ ଥାନା ନିଳୋକ ପଞ୍ଚାୟତ ନୁଣୀପଦା ଗ୍ରାମର ଶାନ୍ତନୁ ନାୟକଙ୍କ ପୁଅ ଦେବାଶିଷ(୨୬ )। ସୋସୋ ଥାନା ଅଧିକାରିଣୀ କାନନ ସାହୁଙ୍କ ସୂଚନା ଅନୁସାରେ, ଦେବାଶିଷ ପ୍ରାୟ ୨୫ ଜଣଙ୍କ ସହ ବୁଲାବୁଲି ଏବଂ ଭୋଜି କରିବାକୁ ହଦଗଡ଼ ଆସିଥିଲେ l ନଦୀ କଡରେ ଭୋଜି ପାଇଁ ରୋଷେଇ ଚାଲିଥିଲା ।
ସେତିକିବେଳେ ହଠାତ ବର୍ଷା, ପବନ ହେବାରୁ ସମସ୍ତେ ଯିଏ ଯୁଆଡେ ଦୌଡି ପଳାଇ ଥିଲେ l ହେଲେ ଦେବାଶିଷ ନଦୀକୁ ଖସି ପଡ଼ିଥିଲେ। କିଛି ସମୟ ପରେ ଅନ୍ୟମାନେ ଦେବାଶିଷଙ୍କୁ ନ ପାଇ ଖୋଜାଖୋଜି କରିଥିଲେ l ଶେଷରେ ନଦୀରୁ ତାଙ୍କୁ ଉଦ୍ଧାର କରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।