ପିଜି ନାମଲେଖା ଘୁଞ୍ଚିଲା

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିବାବେଳେ ଆସନ୍ତା ୨୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇଥାନ୍ତା। କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିବାରୁ ନାମଲେଖା ତାରିଖ ସହ ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟ ବଦଳିଛି। ରାଜ୍ୟର ୭୩ଟି ଅନୁଷ୍ଠାନର ବିଭିନ୍ନ ବିଭାଗରେ ପିଜି କୋର୍ସ କରିବାକୁ ମୋଟ ୫୭,୨୯୭ଜଣ ଛାତ୍ରୀଛାତ୍ର ଚଳିତବର୍ଷ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଶୁକ୍ରବାର ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୫ରେ ମେଧା ତାଲିକ ପ୍ରକାଶ ପାଇବ। ୧୫ ତାରିଖ ଅପରାହ୍ନ ୪ଟାରେ ସିଟ୍‌ ଆଲଟମେଣ୍ଟ ହେବ। ୧୬ ଓ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ପୂର୍ବରୁ ଏହା ୬ ଓ ୭ ତାରିଖରେ ହେବାର ଥିଲା। ୧୯ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପିଲାମାନେ ସ୍ଲାଇଡ୍‌ଅପ୍‌ କରିପାରିବେ। ସେହିପରି ୨୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୪ ଓ ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ୨୯ ତାରିଖରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ରେ ସ୍ପଟ୍‌ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ। ୧୧ ତାରିଖ ଅପରାହ୍ନ ୨ଟା ସୁଦ୍ଧା ଚୟନ ହୋଇଥିବା ଛାତ୍ରୀଛାତ୍ର ନାମ ଲେଖାଇବେ। ସ୍ପଟ୍‌ ନାମଲେଖା ପରେ ଯଦି ସିଟ୍‌ ପୂରଣ ନ ହୁଏ ତେବେ ୧୪ ତାରିଖ ଦିନ ଅପରାହ୍ନ ୧୨ଟାରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ୧୫ରୁ ୧୭ ତାରିଖ ମଧ୍ୟରେ ଉକ୍ତ ପର୍ଯ୍ୟାୟର ନାମଲେଖା ଅନୁଷ୍ଠିତ ହେବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।