Categories: ଜାତୀୟ

ଫାଇଜର ଟିକା ଭାରତ ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨।୧୧: ଆମେରିକାର ଔଷଧ କମ୍ପାନୀ ଫାଇଜର ଟିକା ନେଇ ବେଶ୍‌ ଆଶାବାଦୀ ରହିଛି। କରୋନା ଭାଇରସ୍‌ ରୋକିବାରେ ଏହା ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିବା ପରେ ବିଶ୍ୱବ୍ୟାପୀ ଆଶା ସଞ୍ଚାର ହୋଇଛି। ହେଲେ ଟିକା ପ୍ରସ୍ତୁତ ସହ ଏହାର ସୁରକ୍ଷା, ବିତରଣ, ଟିକାକରଣ ଦିଗ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। ଫାଇଜର ଟିକାକୁ ୭୦ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ଭାବେ ରଖାଯିବା ଜରୁରୀ। ଏଥିସହ ଫାଇଜର କୋଭିଡ୍‌ ଟିକାର ମୂଲ୍ୟ ଢେର୍‌ ଅଧିକ ହୋଇଥିବାରୁ ଭାରତ ଭଳି ବିକାଶୋନ୍ନୁମୁଖୀ ରାଷ୍ଟ୍ର କ୍ଷେତ୍ରରେ ଏହା ସବୁ ଲୋକଙ୍କୁ ପ୍ରଦାନ କରାଯିବା କଷ୍ଟକର ବ୍ୟାପାର ବୋଲି କୁହାଯାଉଛି। ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ମଧ୍ୟ ସମାନ କଥା କହିଛନ୍ତି। ଫାଇଜର ଟିକାର ତୃତୀୟ ପର୍ଯ୍ୟାୟ ପରିଣାମ ବେଶ୍‌ ଉତ୍ସାହଜନକ ହୋଇଥିଲେ ହେଁ ଭାରତ ଭଳି ଦେଶଗୁଡ଼ିକରେ ୭୦ ଡିଗ୍ରୀ ତାପମାନରେ ଏହାକୁ ଷ୍ଟୋରକରିବା କଷ୍ଟକର ବ୍ୟାପାର। ବିଶେଷକରି ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହି ଟିକା ଷ୍ଟୋରକରି ରଖାଯିବା ଅସମ୍ଭବ ମନେହେଉଛି।
ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଏନେଇ କେନ୍ଦ୍ର ସରକାର ନୀତି ସ୍ପଷ୍ଟ କରିବା ଦରକାର। ଫାଇଜର ଟିକା ବେଶ୍‌ ଫଳପ୍ରଦ ହେବ ବୋଲି କୁହାଯାଇଛି। ଏହାର ଷ୍ଟୋରେଜ୍‌ ଭିତ୍ତିଭୂମି ବିକାଶ କରିବା ଓ ଟିକା ବିତରଣ ସମ୍ପର୍କରେ ସରକାର ରୋଡ୍‌ମ୍ୟାପ୍‌ ଯଥାଶୀଘ୍ର ପ୍ରସ୍ତୁତ କରିବା ଅନିବାର୍ଯ୍ୟ। ଆମେରିକା, ଜାପାନ, ବ୍ରିଟେନ୍‌ ଭଳି ଧନୀ ରାଷ୍ଟ୍ରଗୁଡ଼ିକ ଫାଇଜର ଟିକାର ସୁଫଳ ପାଇବା ସମ୍ଭାବନା ଉଜ୍ଜ୍ୱଳ ହୋଇଥିବାବେଳେ ଭାରତ ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦେବା ଜରୁରୀ।
ରୁଷିଆ ପ୍ରସ୍ତୁତ କରିଥିବା କରୋନା ଟିକା ‘ସ୍ଫୁଟିନିକ୍‌ ଭି’ ୯୨% ସଫଳ ବୋଲି ଜଣାପଡ଼ିଛି। ଏନେଇ ବୁଧବାର ରୁଷିଆର ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଫର୍‌ ଇପିମେଡିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ପକ୍ଷରୁ ବୁଧବାର ଏହି ଦାବି କରାଯାଇଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ମାନବ ପରୀକ୍ଷଣ ପରେ ରୁଷିଆ ଟିକା ୯୨% ସଫଳ ବୋଲି ଘୋଷଣା କରାଯାଇଛି।

Share