Categories: ଜାତୀୟ

ପିଏଫ୍‌ଆଇ ମାମଲା: ୪୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୯।୯ : ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କ୍ୟାଡର ମାମଲାରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ରବିବାର ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିବା ସହ ୪ ଜଣଙ୍କୁ ଅଟକ ରଖିଛି। ତେଲଙ୍ଗାନାର ନିଜାମାବାଦ ଜିଲାର ୨୩ଟି ସ୍ଥାନ, ହାଇଦ୍ରାବାଦର ୪, ଜାଗିତ୍ୟାଲର ୭, ନିର୍ମାଲର ୨ ଏବଂ ଆଡିଲାବାଦ ଓ କରିମନଗର ଜିଲାର ଗୋଟିଏ ଲେଖାଏ ସ୍ଥାନରେ ଚଢ଼ାଉ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଡିଜିଟାଲ ଉପକରଣ, ଦସ୍ତାବିଜ୍‌ ସମେତ କେତେକ ଆପରାଧିକ ଉପକରଣ ଏବଂ ନଗଦ ୮,୩୧,୫୦୦ ଟଙ୍କା ଜବତ ହୋଇଛି।

ଏନ୍‌ଆଇଏ କହିବା ଅନୁଯାୟୀ ଅଭିଯୁକ୍ତମାନେ ପ୍ରଶିକ୍ଷଣ ଶିବିରର ଆୟୋଜନ କରି ଆତଙ୍କବାଦୀ କାର୍ଯ୍ୟ କରିବା ନିମନ୍ତେ ଯୁବକମାନଙ୍କୁ ତାଲିମ ଦେଉଥିଲେ ଏବଂ ଧର୍ମ ଆଧାରରେ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଉଥିଲେ। ନିଜାମାବାଦ ଥାନା ପକ୍ଷରୁ ତଦନ୍ତ କରାଯାଇ ଅବଦୁଲ କାଦର, ଶେଖ୍‌ ସହାଦୁଲ୍ଲା, ମହମ୍ମଦ ଇମ୍ରାନ ଏବଂ ମହମ୍ମଦ ଅବଦୁଲ ମୋବିନ୍‌ଙ୍କୁ ଗିରଫ କରାଯାଇଥିଲା। ପରେ ଏନ୍‌ଆଇଏ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ସହ ଗତ ମାସ ୨୬ରେ ସାନି ମାମଲା ରୁଜୁ କରିଥିଲା।

ଏନ୍‌ଆଇଏ ଏତଲା ଅନୁଯାୟୀ ଅବଦୁଲ କାଦରଙ୍କ ସହ ୨୬ ଅଭିଯୁକ୍ତ ଓ ଅନ୍ୟମାନେ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର ଚଳାଇଥିଲେ। ଏଥିପାଇଁ ସେମାନେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଗଠନ କରି ସେଥିରେ ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ସହ ଆତଙ୍କବାଦୀ ତାଲିମ ଲାଗି କ୍ୟାମ୍ପ ଆୟୋଜନ କରୁଥିଲେ।

Share