Categories: ଜାତୀୟ

‘ମଦରୁ ନୁହେଁ ପେଟ୍ରୋଲରୁ ଟିକସ୍‌ ହ୍ରାସକଲେ ଶସ୍ତା ହେବ ତେଲ’

ନୂଆଦିଲ୍ଲୀ,୨୮।୪: ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଆମଦାନୀ ମଦ ଉପରୁ ଟିକସ ହ୍ରାସ ନ କରି ପେଟ୍ରୋଲ ଉପରୁ କମାଇଲେ ତେଲ ଶସ୍ତା ହେବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର କହିଛନ୍ତି। ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ ଲିଟର ପ୍ରତି ୧୪ ଟଙ୍କା ୫୦ରୁ ୧୭ ଟଙ୍କା ୫୦ ପଇସା ଭାଟ୍‌ ଆଦାୟ ହେଉଥିବାବେଳେ ଅନ୍ୟ ଦଳ ଶାସିତ ରାଜ୍ୟରେ ୨୬ରୁ ୩୨ ଟଙ୍କା ସଂଗ୍ରହ କରାଯାଉଛି।

ମହାରାଷ୍ଟ୍ର ସରକାର ପେଟ୍ରୋଲ ଉପରେ ୩୨ ଟଙ୍କା ୧୫ ପଇସା ଭାଟ୍‌ ସଂଗ୍ରହ କରୁଥିବାବେଳେ ରାଜସ୍ଥାନରେ ୨୯ ଟଙ୍କା ୧୦ ପଇସା ନିଆଯାଉଛି। ଅନ୍ୟପକ୍ଷରେ ଭାଜପା ଶାସିତ ଉତ୍ତରାଖଣ୍ଡରେ ଭାଟ୍‌ ୧୪ ଟଙ୍କା ୫୧ ପଇସା ଥିବାବେଳେ ଉତ୍ତରପ୍ରଦେଶରେ ୧୬.୫୦ ରହିଥିବା ହରଦୀପ୍‌ ଟୁଇଟ୍‌ କରିଛନ୍ତି। ହରିୟାଣାରେ ପେଟ୍ରୋଲ ଉପରେ ୧୮% ଏବଂ ଡିଜେଲ ଉପରେ ୧୬% ଭାଟ୍‌ ସଂଗ୍ରହ କରାଯାଉଛି। ବିରୋଧୀ ଦଳଗୁଡ଼ିକ କେବଳ ପ୍ରତିବାଦ ଓ ସମାଲୋଚନା କରିବା ବ୍ୟତୀତ ଲୋକଙ୍କ ସୁବିଧା ପାଇଁ କିଛି କରୁ ନ ଥିବା ପେଟ୍ରୋଲିୟମ ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକରେ ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ତୈଳ ଦର ଅଧିକ ଥିବାରୁ ଭାଟ୍‌ କମାଇବାକୁ ପରାମର୍ଶ ଦେଇଥିଲେ।

Share