ପେଟ୍ରୋଲ ୩୬, ଡିଜେଲ ୩୮ ପଇସା ବଢ଼ିଲା

ଭୁବନେଶ୍ୱର,୨୧।୧୦: ଦୁଇଦିନ ବିରତି ପରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୬ ପଇସା ବଢ଼ି ୧୦୭.୧୩ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୩୮ ପଇସା ଊର୍ଦ୍ଧ୍ୱରେ ରହି ୧୦୩.୫୩ ଟଙ୍କା ରହିଛି। ସେହିଭଳି କଟକରେ ପେଟ୍ରୋଲ ୧୦୭.୪୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୧୦୩.୮୭ ଟଙ୍କା ଛୁଇଁଛି। ମାଲକାନଗିରିରେ ତୈଳ ଦର ରାଜ୍ୟରେ ସର୍ବାଧିକ ରହିଛି। ଏଠାରେ ଡିଜେଲ ୧୦୮.୯୪ ଏବଂ ପେଟ୍ରୋଲ ୧୧୨.୯୨ ଟଙ୍କା ରହିଛି।  ସେହିଭଳି ଜଗତ୍‌ସିଂହପୁରରେ ପେଟ୍ରୋଲ ୧୦୬.୮୪ ଏବଂ ଡିଜେଲ ୧୦୩.୨୪ ଟଙ୍କା ଛୁଇଁଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୩୫ ପଇସା ବଢ଼ିଛି। ଦିଲ୍ଲୀରେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ୧୦୬.୧୯ ଟଙ୍କା ଥିବା ବେଳେ ମୁମ୍ବାଇରେ ଏହା ୧୧୨.୧୧ ଟଙ୍କା ରହିଛି। ଏହି ୨ ସହରରେ ଡିଜେଲ ଦର ଯଥାକ୍ରମେ ୧୦୨.୮୯ ଏବଂ ୯୪.୯୨ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ମିଳିଛି।
ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ ୧୧୮.୨୩ ଟଙ୍କା ଏବଂ ଡିଜେଲ ୧୦୯.୦୪ ଟଙ୍କା ଛୁଇଁଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର,କେରଳ, କର୍ନାଟକ, ଝାଡ଼ଖଣ୍ଡ, ଗୋଆ ଏବଂ ଲଦାଖ ଭଳି ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ପାର କରିଛି। ରାଜ୍ୟଗୁଡ଼ିକ ସ୍ତରରେ ଭାଟ୍‌ ଭିନ୍ନତା ଯୋଗୁ ଦେଶ ମଧ୍ୟରେ ତେଲ ଦର ଭିନ୍ନ ରହୁଛି। ଅନ୍ତର୍ଜାତୀୟ ବଜାରରେ ବୁଧବାର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୪.୪୩ ଡଲାର ଛୁଇଁଛି। ଗତ ୭ ବର୍ଷ ମଧ୍ୟରେ ବ୍ରେଣ୍ଟର ଏହା ରେକର୍ଡ ସ୍ତର। ଗୋଟିଏ ମାସ ତଳେ ଏହା ୭୩.୯୨ ଡଲାର ସ୍ତରରେ ଥିଲା। ଭାରତ ଏହାର ଇନ୍ଧନ ଆବଶ୍ୟକତା ପୂରଣ ଲାଗି ପ୍ରାୟ ୮୦% ଅଶୋଧିତ ତେଲ ବିଦେଶରୁ ଆମଦାନୀ କରୁଛି। ଏଣୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିଲେ ଏହାର ପ୍ରଭାବ ତ୍ୱରିତ ଭାବେ ଭାରତ ବଜାର ଉପରେ ପଡୁଛି।