ତେଲ କମ୍ପାନୀଙ୍କୁ ଝଟ୍‌କା, ଗ୍ରାହକଙ୍କ ପାଇଁ ଖୁସି; ପେଟ୍ରୋଲକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ବଢ଼ୁଥିଲେ ମଧ୍ୟ ଘରୋଇ ସ୍ତରରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଅର୍ଥାତ ଶନିବାର, ନଭେମ୍ୱର ୨୧ ତାରିଖ ପାଇଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରିଛନ୍ତି ଏବଂ ଆଜି ମଧ୍ୟ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କାରେ ସ୍ଥିର ରହିଛି। ତେବେ ଗ୍ରାହକଙ୍କୁ ମିଳୁଥିବା ଏହି ଆଶ୍ୱସ୍ତି ଅଏଲ ମାର୍କେଟିଂ କମ୍ପାନୀ (OMCs) ଉପରେ ଭାରି ପଡ଼ୁଛି। ଏକ ତାଜା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ୱର ତ୍ରୈମାସିକରେ ଖୁଚୁରା ବିକ୍ରିରେ କମ୍ପାନୀଗୁଡ଼ିକୁ ପେଟ୍ରୋଲରେ ଲିଟର ପିଛା ୩.୧ ଟଙ୍କା ଏବଂ ଡିଜେଲରେ ୨୪.୫ ଟଙ୍କାର ବଡ଼ କ୍ଷତି ସହିବାକୁ ପଡ଼ିଛି।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଅଏଲ ବଢ଼ି ବ୍ୟାରେଲ ପିଛା ୯୨.୫୭ ଡଲାରରେ ପହଞ୍ଚିଛି। ଏହା ସତ୍ତ୍ୱେ ଘରୋଇ ବଜାରରେ ଦର ବଢ଼ିନାହିଁ। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି।

ନୁଭାମା ଇନଷ୍ଟିଚ୍ୟୁସନାଲ ଇକ୍ୱିଟିଜ (Nuvama Institutional Equities) ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ୱର ତ୍ରୈମାସିକରେ କମ୍ପାନୀଗୁଡ଼ିକର ଲାଭ ଓ କ୍ଷତିର ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ଏହି ତ୍ରୈମାସିକରେ ପେଟ୍ରୋଲର ଖୁଚୁରା ବିକ୍ରିରେ କମ୍ପାନୀଗୁଡ଼ିକୁ ଲିଟର ପିଛା ୩.୧ ଟଙ୍କାର କ୍ଷତି ହୋଇଥିବା ବେଳେ ଗତ ବର୍ଷ ଏହି ସମାନ ତ୍ରୈମାସିକରେ ସେମାନଙ୍କୁ ଲିଟର ପିଛା ୧୦.୭ ଟଙ୍କାର ଲାଭ ହେଉଥିଲା। ଡିଜେଲରେ କମ୍ପାନୀଗୁଡ଼ିକୁ ଲିଟର ପିଛା ୨୪.୫ ଟଙ୍କାର କ୍ଷତି ସହିବାକୁ ପଡ଼ିଛି, ଯେତେବେଳେ କି ଗତ ବର୍ଷ ଏହି ଅବଧିରେ କମ୍ପାନୀଗୁଡ଼ିକୁ ଲିଟର ପିଛା ୫.୬ ଟଙ୍କାର ଫାଇଦା ହୋଇଥିଲା। ଏହାଛଡ଼ା ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଯୋଗାଣରେ ବାଧା ଯୋଗୁଁ ମଧ୍ୟ ତୈଳ କମ୍ପାନୀଗୁଡ଼ିକୁ ପ୍ରାୟ ୪୨,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଏବେ ଆପଣ ପଚାରିବେ, ଯଦି ଏତେ କ୍ଷତି ହେଉଛି, ତେବେ କମ୍ପାନୀଗୁଡ଼ିକ ବନ୍ଦ ହୋଇଗଲେ ନାହିଁ କାହିଁକି? ଏହାର କାରଣ ହେଉଛି ରିଫାଇନିଂ ମାର୍ଜିନ। ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ-ଡିଜେଲ ପ୍ରସ୍ତୁତ କରିବାରେ କମ୍ପାନୀଗୁଡ଼ିକୁ ଭଲ ଆୟ ହେଉଛି। ଏହି ତ୍ରୈମାସିକରେ ଏହି ମାର୍ଜିନ ବ୍ୟାରେଲ ପିଛା ୩୩.୮ ଡଲାର ରହିଛି, ଯାହା ଗତ ବର୍ଷ ମାତ୍ର ୧୦.୧ ଡଲାର ଥିଲା। ଏହି କାରଣରୁ କମ୍ପାନୀଗୁଡ଼ିକର ମୋଟ ଲାଭ (EBITDA) ୫୪.୭% ବଢ଼ିଛି। ସରଳ ଭାଷାରେ ବୁଝିବାକୁ ଗଲେ ପେଟ୍ରୋଲ ପମ୍ପରେ କ୍ଷତି ହେଉଛି, କିନ୍ତୁ ଫ୍ୟାକ୍ଟ୍ରି (ରିଫାଇନାରୀ)ରେ ଲାଭ ହେଉଛି। ଗୋଟିଏ କ୍ଷତିକୁ ଅନ୍ୟଟିର ଲାଭରେ ଭରଣା କରାଯାଉଛି।

ପେଟ୍ରୋଲ-ଡିଜେଲ ପରେ ଏବେ ଗ୍ୟାସ ସିଲିଣ୍ଡରରେ ମଧ୍ୟ କ୍ଷତି ବଢ଼ୁଛି। HPCLକୁ ନଭେମ୍ୱରରେ ପ୍ରତ୍ୟେକ ସିଲିଣ୍ଡର ପିଛା ୩୨୭ ଟଙ୍କାର କ୍ଷତି ହେଉଥିବା ବେଳେ IOCLକୁ ଡିସେମ୍ୱରରେ ପ୍ରତ୍ୟେକ ସିଲିଣ୍ଡର ପିଛା ୩୭୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ। ସରକାରଙ୍କ ପକ୍ଷରୁ କମ୍ପାନୀଗୁଡ଼ିକର ୧୮,୦୦୦ କୋଟି ଟଙ୍କା ବକେୟା ରହିଛି।

୨୧ ନଭେମ୍ୱର ୨୦୨୬ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କା ରହିଛି। ପେଟ୍ରୋଲରେ ଲିଟର ପିଛା ୩.୧ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୨୪.୫ ଟଙ୍କାର କ୍ଷତି ହେଉଛି। ବ୍ରେଣ୍ଟ କ୍ରୁଡ ବ୍ୟାରେଲ ପିଛା ୯୨.୫୭ ଡଲାରରେ ପହଞ୍ଚିଛି।

Share