କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ‘ୱିଣ୍ଡଫଲ ଟ୍ୟାକ୍ସ’ (Windfall Tax) ରେ ପୁଣିଥରେ ପରିବର୍ତ୍ତନ କରିଛନ୍ତି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୩ ତାରିଖ ଅର୍ଥାତ୍‌ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା କର ପୂର୍ବ ଅପେକ୍ଷା ଅଧିକ ପରିମାଣରେ ଦେବାକୁ ପଡ଼ିବ। ବିଶ୍ୱ ବଜାରରେ କଞ୍ଚା ତେଲର ମୂଲ୍ୟ, ରପ୍ତାନି ମାର୍ଜିନ ଏବଂ ତେଲ କମ୍ପାନୀଗୁଡ଼ିକର ମୁନାଫାକୁ ଆଖିଆଗରେ ରଖି ସରକାର ସମୟ ସମୟରେ ଏହି ନିଷ୍ପତ୍ତି ନେଇଥାନ୍ତି।

ୱିଣ୍ଡଫଲ ଟ୍ୟାକ୍ସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ଅତିରିକ୍ତ ଲାଭ ଉପରେ କର ଲଗାଇବା, ଯାହା ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ପାଇବା ସମୟରେ ତେଲ କମ୍ପାନୀଗୁଡ଼ିକୁ ମିଳିଥାଏ। ତେବେ ଏହି ବଡ଼ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ପାଇଁ ପେଟ୍ରୋଲ ଏବଂ ଡିଜେଲର ଘରୋଇ ଖୁଚୁରା ମୂଲ୍ୟ ଉପରେ ପଡ଼ିନାହିଁ।

ପେଟ୍ରୋଲ ରପ୍ତାନି ଉପରେ କର ଲିଟର ପ୍ରତି ୨.୫ ଟଙ୍କାରୁ ବୃଦ୍ଧି କରାଯାଇ ୩.୫ ଟଙ୍କା କରାଯାଇଛି। ଡିଜେଲ ରପ୍ତାନି ଉପରେ କର ଲିଟର ପ୍ରତି ୧୫.୫ ଟଙ୍କାରୁ ବୃଦ୍ଧି କରାଯାଇ ୨୪ ଟଙ୍କା କରାଯାଇଛି। ସରକାର ଆଜି ଅର୍ଥାତ୍‌ ଅଗଷ୍ଟ ୩ ତାରିଖରୁ ଏହି ପରିବର୍ତ୍ତନକୁ ଲାଗୁ କରିଛନ୍ତି।

Odisha’s No.1 Odia Daily

Share