ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ କିଣିବା ଉପରେ କିଛି କଟକଣା ଲଗାଇଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏବେ ଫ୍ୟାକ୍ଟ୍ରି ଏବଂ ବଡ଼ ବଡ଼ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପରୁ ତେଲ କିଣିପାରିବେ ନାହିଁ ଏବଂ ଜଣେ ଗ୍ରାହକଙ୍କୁ ଗୋଟିଏ ଦିନରେ ୨୦୦ ଲିଟରରୁ ଅଧିକ ଡିଜେଲ ଦିଆଯିବ ନାହିଁ। ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଏବେ ଶିଳ୍ପଭିତ୍ତିକ, ବ୍ୟବସାୟିକ (କମର୍ସିଆଲ) ଏବଂ ସାଂସ୍ଥାନିକ ଗ୍ରାହକମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ କିଣିପାରିବେ ନାହିଁ। ସେମାନଙ୍କୁ ନିଜ ଆବଶ୍ୟକତାର ଇନ୍ଧନ କେବଳ ନିଜ କଞ୍ଜୁମର ପମ୍ପରୁ ହିଁ ନେବାକୁ ହେବ, ଅର୍ଥାତ୍ ବଡ଼ କ୍ରେତାମାନଙ୍କ ପାଇଁ ପେଟ୍ରୋଲ ପମ୍ପର ରାସ୍ତା ବନ୍ଦ କରିଦିଆଯାଇଛି।
ପେଟ୍ରୋଲ ପମ୍ପ ପାଇଁ ମଧ୍ୟ ସ୍ପଷ୍ଟ ନିୟମ ସ୍ଥିର କରାଯାଇଛି। ପେଟ୍ରୋଲ ପମ୍ପଗୁଡ଼ିକ ଏବେ ଡିଜେଲ କେବଳ ଗାଡ଼ିର ଟାଙ୍କିରେ କିମ୍ବା ପେସୋ (PESO) ଦ୍ୱାରା ଅନୁମୋଦିତ କଣ୍ଟେନରରେ ହିଁ ଦେବେ। ଜଣେ ଗ୍ରାହକ କିମ୍ବା ଗୋଟିଏ ଗାଡ଼ିକୁ ଗୋଟିଏ ଦିନରେ ୨୦୦ ଲିଟରରୁ ଅଧିକ ଡିଜେଲ ମିଳିବ ନାହିଁ। ଏହି ଡିଜେଲକୁ ଆଗକୁ ବିକ୍ରି କରିବାକୁ ମଧ୍ୟ ଅନୁମତି ମିଳିବ ନାହିଁ। ତେଲ କମ୍ପାନୀ ଏବଂ ପମ୍ପ ଡିଲରମାନଙ୍କୁ ଏହି ନିୟମଗୁଡ଼ିକର ପାଳନ କରାଇବା ପାଇଁ ଦାୟିତ୍ୱ ଦିଆଯାଇଛି। ଏହି କଟକଣା ଅସ୍ଥାୟୀ ଅଟେ। ନିର୍ଦ୍ଦେଶ ଅନୁଯାୟୀ ଜାରି କରାଯାଇଥିବା ଯେକୌଣସି ନିୟମ ପ୍ରାରମ୍ଭିକ ପର୍ଯ୍ୟାୟରେ ସର୍ବାଧିକ ୯୦ ଦିନ ପାଇଁ ଲାଗୁ ରହିବ। ଆବଶ୍ୟକ ପଡ଼ିଲେ ସରକାର ଏହାକୁ ଆଗକୁ ବଢ଼ାଇ ପାରିବେ। ଏହା ସହିତ ସରକାର ଚାହିଁଲେ କୌଣସି ଗ୍ରାହକ, ଅଞ୍ଚଳ କିମ୍ବା କାରବାରକୁ ଏହି ନିୟମରୁ ରିହାତି ମଧ୍ୟ ଦେଇପାରିବେ।
ଏହି ନିଷ୍ପତ୍ତି ପଛରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମ କାରଣ ହେଉଛି ବିଶ୍ୱର ବର୍ତ୍ତମାନର ସ୍ଥିତି। କେତେକ ଅଞ୍ଚଳରେ ଚାଲିଥିବା ଭୂ-ରାଜନୈତିକ (Geo-political) ତିକ୍ତତା କାରଣରୁ ପେଟ୍ରୋଲିୟମର ଆନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳା (Supply chain), ସିପିଂ ଏବଂ ଉପଲବ୍ଧତା ଉପରେ ଖରାପ ପ୍ରଭାବ ପଡ଼ୁଛି। ଏଭଳି ପରିସ୍ଥିତିରେ ସରକାର ମନେ କରୁଛନ୍ତି ଯେ ଯେତିକି ଯୋଗାଣ ଉପଲବ୍ଧ ଅଛି, ତାର ବୁଦ୍ଧିମତାପୂର୍ଣ୍ଣ ବ୍ୟବହାର ଏବଂ ସୁରକ୍ଷା ଜରୁରୀ ଅଟେ।
ଦ୍ୱିତୀୟ କାରଣଟି ଦେଶ ଭିତରର ଅଟେ। ସରକାର ଦେଖିବାକୁ ପାଇଲେ ଯେ କେତେକ ଅଞ୍ଚଳରେ ପେଟ୍ରୋଲ ପମ୍ପଗୁଡ଼ିକରୁ ପେଟ୍ରୋଲ-ଡିଜେଲ ବିକ୍ରିରେ ଅସ୍ବାଭାବିକ ବୃଦ୍ଧି ଘଟୁଛି। ପ୍ରକୃତରେ ଖୁଚୁରା (Retail) ଏବଂ ବଲ୍କ (Bulk) ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ଥିବା ଯୋଗୁଁ ଫ୍ୟାକ୍ଟ୍ରି ଏବଂ ବଡ଼ ବଡ଼ ବ୍ୟବସାୟିକ ଗ୍ରାହକମାନେ ସିଧାସଳଖ ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିବା ଆରମ୍ଭ କରିଦେଇଥିଲେ। ଏହାଦ୍ୱାରା ସାଧାରଣ ଜନତାଙ୍କ ପାଇଁ ରଖାଯାଇଥିବା ଷ୍ଟକ ଅନ୍ୟ ଆଡ଼କୁ ଚାଲିଗଲା ଏବଂ କେତେକ ସ୍ଥାନରେ ଅଭାବ ଦେଖାଦେବାର ଆଶଙ୍କା ସୃଷ୍ଟି ହେଲା। ସରକାରଙ୍କର ଆଶଙ୍କା ଥିଲା ଯେ ଏହାଦ୍ୱାରା କଳାବଜାରୀ ଓ ବେଆଇନ ମହଜୁଦକାରୀ ବଢ଼ିପାରେ। ସେଥିପାଇଁ ସାଧାରଣ ଗ୍ରାହକଙ୍କ ପର୍ଯ୍ୟନ୍ତ ତେଲର ଯୋଗାଣ ବଜାୟ ରଖିବା ପାଇଁ ଏହି ନିର୍ଦ୍ଦେଶ ଅଣାଯାଇଛି।
ନିର୍ଦ୍ଦେଶ ଉଲ୍ଲଂଘନ କଲେ ଆବଶ୍ୟକ ସାମଗ୍ରୀ ଆଇନ ୧୯୫ (Essential Commodities Act 1955) ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦଣ୍ଡର ପ୍ରାବଧାନ ରହିଛି। ତଦାରଖ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଗେଜେଟେଡ ଅଫିସର (ରାଜପତ୍ରିତ ଅଧିକାରୀ), ଡିଏସପି (DSP) କିମ୍ବା ତା’ଠାରୁ ଉପର ପାହ୍ୟାର ପୋଲିସ ଅଧିକାରୀ ଏବଂ ତେଲ କମ୍ପାନୀଗୁଡ଼ିକର ସେଲ୍ସ ଅଫିସର ପାହ୍ୟାର ଅଧିକାରୀମାନଙ୍କୁ ଚଢ଼ାଉ ଏବଂ ଜବତ କରିବାର ଅଧିକାର ଦିଆଯାଇଛି। ବେଆଇନ ମହଜୁଦକାରୀ (ଜମାଖୋରୀ), କଳାବଜାରୀ ଏବଂ ଡାଇଭର୍ସନ (ଇନ୍ଧନର ଅନ୍ୟ ମାର୍ଗରେ ବ୍ୟବହାର) ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।