ସିବିଆଇ ତଦନ୍ତ ଦାବିରେ ପିଟିଶନ

କଟକ ଅଫିସ,୫। ୧୦: ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବାରେ ଓଡ଼ିିଶା ପୋଲିସ ବା କ୍ରାଇମବ୍ରାଞ୍ଚ ବିଫଳ ହୋଇଛନ୍ତି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା କୋର୍ଟ ପରିଚାଳିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)କୁ ଏହି ମାମଲା (ପାରଳାଖେମୁଣ୍ଡି ଥାନା କେସ୍‌ ନଂ. ୧୪୧/୨୧) ହସ୍ତାନ୍ତର କରାଯିବା ଲାଗି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ଏ ନେଇ ସେ ସୋମବାର ହାଇକୋର୍ଟରେ ଏକ ପିଟିଶନ (ନଂ. ସିଆର୍‌ଏଲ୍‌ଏମ୍‌ପି. ୦୯୯୯୦୦/ ୨୦୨୧) ଦାଖଲ କରିଛନ୍ତି। ଏହି ମାମଲାରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଡିଜିପି, କ୍ରାଇମବ୍ରାଞ୍ଚ ଏଡିଜି ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାକୁ ଆଇନଜୀବୀ ପାର୍ଥସାରଥୀ ନାୟକ ପରିଚାଳନା କରୁଛନ୍ତି।
ପିଟିଶନରେ ଦର୍ଶାଯାଇଛି ଯେ, ଏସିଏଫ୍‌ ସୌମ୍ୟ ରଞ୍ଜନ ୨୦୨୦ ମେ ୧ରେ ପାରଳାଖେମୁଣ୍ଡି ଡିଭିଜନରେ ଏସିଏଫ୍‌ ଭାବେ ଯୋଗଦେଇଥିଲେ। ସେହିବର୍ଷ ଡିସେମ୍ବର ୧ରେ ସେ ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ। ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ନିୟମିତ ବିଦ୍ୟାଭାରତୀଙ୍କ ନିକଟକୁ ଆସିବା ସହ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିଲେ। ଫଳରେ ସୌମ୍ୟ ନିର୍ଯାତିତ ହେଉଥିଲେ। ଜୁଲାଇ ୧୨ତାରିଖ ରାତିରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟଙ୍କୁ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଜୁଲାଇ ୧୩ରେ କଟକର ଏକ ଘରୋଇ ଡାକ୍ତରଖାନା ନିଆଯାଇଥିବାବେଳେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ସୌମ୍ୟଙ୍କ ପରିବାରର ବୟାନ ରେକର୍ଡ କରିବାଠାରୁ ଆରମ୍ଭ କରି ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରିଥିଲା। ହେଲେ ଘଟଣାର ଅଢେଇ ମାସ ପରେ ବି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ସୂଚନାଯୋଗ୍ୟ, ଏହି ମାମଲାର ସିବିଆଇ ତଦନ୍ତ କରାଯିବାକୁ ଜୁଲାଇ ୨୭ରେ ଭାରତ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ ହୋଇଥିଲା।