Categories: ଜାତୀୟ

ଧର୍ମାନ୍ତରୀକରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବେଦନ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ,୨୪ା୯(ପି.ଟି.): ଧମକ ଦେଇ କିମ୍ବା ପ୍ରଲୋଭନ ଦେଖାଇ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଉଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେବାକୁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏନେଇ ସ୍ବରାଷ୍ଟ୍ର ଏବଂ ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରି ନଭେମ୍ବର ୧୪ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି। ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଧର୍ମାନ୍ତରୀକରଣ ଏକ ଦେଶବ୍ୟାପୀ ସମସ୍ୟା ହୋଇଥିବାରୁ ତୁରନ୍ତ ଏହାକୁ ରୋକାଯିବା ଆବଶ୍ୟକ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଏଥିରୁ କୌଣସି ଗୋଟିଏ ବି ଜିଲା ମୁକ୍ତ ନୁହେଁ। ଏଥିପାଇଁ ନାଗରିକମାନେ ଗୁରୁତର କ୍ଷତିଗ୍ରସ୍ତ ହେଉଛନ୍ତି। ଜୋର୍‌ଜବରଦସ୍ତ ଧର୍ମାନ୍ତରୀକରଣ କରାଯାଉଥିବା ନେଇ ସାରା ଦେଶରୁ ପ୍ରତି ସପ୍ତାହରେ ଖବର ଆସୁଛି। ଏହାକୁ ବନ୍ଦ କରିବା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେଉ ନ ଥିବା ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଥିଲେ।

Share