୩ ଦିନ ବୃଦ୍ଧଙ୍କ ମୃତଦେହ ଜଗି ରହିଥିଲା ପୋଷାକୁକୁର

ଟେନ୍‌ସା/ଲହୁଣୀପଡ଼ା, ୩।୪(ଡି.ଏନ୍‌.ଏ.): ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ କାନ୍ଧରେ ବୋହି ସତ୍କାର କରି ମହାନତା ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଏହି ବୃଦ୍ଧଙ୍କ ମୃତଦେହକୁ ପୋଷାକୁକୁର ୩ ଦିନ ଜଗି ଶେଷରେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ଘଟଣାଟି ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଞ୍ଚଳରେ ଗତ ଜାନୁୟାରୀ ୨୫ ତାରିଖରେ ଘଟିଥିଲା। ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀ ଓ ଆଖପାଖର ଅଳ୍ପ କେତେଜଣଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଜାଣି ନ ଥିଲେ। ଏହାକୁ ଶନିବାର କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରବିବାର ଜିଲାରେ ଚର୍ଚ୍ଚା ଜୋର ଧରିଛି।

ଘଟଣାଟି ହେଉଛି କୋଇଡା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମିଳାଗଡ଼ ରେଳବାଇ କଲୋନୀ ଅଞ୍ଚଳର। ଅଚିହ୍ନା ବୃଦ୍ଧ କିଛିଦିନ ଧରି କେ.ବଲାଙ୍ଗ, ବିମଳାଗଡ଼ ତଥା ଆଖପାଖ ଅଞ୍ଚଳରେ ପାଗଳ ପରି ବୁଲିବା ସହ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ତାଙ୍କ ପୋଷାକୁକୁର ମଧ୍ୟ ସାଙ୍ଗରେ ବୁଲୁଥିଲା। ଜାନୁୟାରୀ ୨୫ରେ ବୃଦ୍ଧଙ୍କ ବିମିଳାଗଡ଼ ରେଳବାଇ କଲୋନୀ ନିକଟ ଏକ ଭଙ୍ଗାଘରେ ମୃତ୍ୟୁ ଘଟିଥିଲା। ମାତ୍ର ପୋଷାକୁକୁର ମୃତଦେହ ନିକଟରେ ଜଗି ରହିଥିଲା। କୁକୁର ଭୁକି ଭୁକି ସୂଚନା ଦେଉଥିଲେ ମଧ୍ୟ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ପାଗଳ ବୋଲି ଭାବି କେହି ବୃଦ୍ଧ ପାଖକୁ ଯାଇ ନ ଥିଲେ। ତିନିଦିନ ପରେ ଦୁର୍ଗନ୍ଧ ଆସିବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। କୁକୁରଟି ମୃତଦେହ ନିକଟରେ ଶୋଇ ରହିଥିଲା। କେ. ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ବୃଦ୍ଧ ମୃତ୍ୟୁବରଣ କରିଥିବା ଜାଣି ସତ୍କାର ବ୍ୟବସ୍ଥା କରିଥିଲେ। ବୃଦ୍ଧ ଅଚିହ୍ନା ହୋଇଥିବାରୁ କେହି ଆସି ନ ଥିଲେ। ଥାନା ଅଧିକାରୀ ସ୍ବାଇଁ କିଛି ବ୍ୟକ୍ତିଙ୍କୁ ଡାକି କାନ୍ଧରେ ମୃତଦେହ ବୋହି ସତ୍କାର ପାଇଁ ନେଇଥିଲେ। ହେଲେ ପାଖରେ ଶୋଇଥିବା ପୋଷାକୁକୁର ମଧ୍ୟ ସାଙ୍ଗରେ ଯାଇଥିଲା। ବୃଦ୍ଧଙ୍କ ମୃତଦେହ ପୋତି ଫେରିଆସିଥିଲେ ସମସ୍ତେ। ମାତ୍ର କୁକୁର ସମାଧି ପାଖରେ ଶୋଇ ଲୁହ ଗଡ଼ାଇଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସତ। ସେତେବେଳେ ଘଟଣା ସମ୍ପର୍କରେ ଆମେ କାହାରିକୁ ଜଣାଇ ନ ଥିଲୁ। ନିଜର ବାହାଦୁରି ନେବାକୁ ଚାହୁଁ ନ ଥିଲୁ। ଏବେ କେହିଜଣେ ସେହି ପୁରୁଣା ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ସେ କୁକୁର କୁଆଡ଼େ ଗଲା ପଚାରିବାରୁ ସେ କହିଥିଲେ, ଆମେ ଯେତେ ଘଉଡ଼ାଇବାକୁ ଚେଷ୍ଟା କଲୁ କୁକୁର ଗଲା ନାହିଁ। ସମାଧି ପାଖରେ ଶୋଇ ରହିଥିଲା। ତା’ ପରେ କୁଆଡ଼େ ଗଲା ଆମେ ଜାଣିନୁ।