ନୂଆଦିଲ୍ଲୀ,୧୦।୧୧: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିପାରେ ବଡ଼ ଉପହାର। ଏମ୍ପ୍ଲଏଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ଆସନ୍ତା ନଭେମ୍ବର ୧୯ ତାରିଖରେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ (CBT)ର ବୈଠକ କରିବାକୁ ଯାଉଛି। ଏହି ବୈଠକରେ ଏମ୍ପ୍ଲଏଜ ପେନସନ ସ୍କିମ (EPS) ଅଧୀନରେ ମିଳୁଥିବା ସର୍ବନିମ୍ନ ମାସିକ ପେନସନକୁ ୧,୦୦୦ ଟଙ୍କାରୁ ବୃଦ୍ଧି କରି ସିଧାସଳଖ ୩,୦୦୦ ଟଙ୍କା କରାଯାଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଅର୍ଥାତ୍ ପେନସନ ରାଶି ତିନିଗୁଣ ବୃଦ୍ଧି ପାଇପାରେ।
ରିପୋର୍ଟ ଅନୁସାରେ, ସୂତ୍ରରୁ ଜଣାପଡ଼ିଛି ଯେ ପେନସନ ବୃଦ୍ଧିକୁ ନେଇ ଶ୍ରମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହୋଇସାରିଛି। ଏପରିକି ୩,୦୦୦ ଟଙ୍କାର ପ୍ରସ୍ତାବ ଉପରେ ଉଭୟ ମନ୍ତ୍ରଣାଳୟ ସହମତ ଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ଉଭୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କିମ୍ବା ନିଶ୍ଚିତ ସୂଚନା ଦିଆଯାଇନାହିଁ। ତେଣୁ ସରକାର ଆନୁଷ୍ଠାନିକ ଭାବେ ଘୋଷଣା ନ କରିବା ପର୍ଯ୍ୟନ୍ତ ପେନସନଭୋଗୀମାନେ ଏହାକୁ ଲାଗୁ ହୋଇଥିବା ବୋଲି ଧରିନେବା ଉଚିତ୍ ନୁହେଁ।
EPS ଅଧୀନରେ ମିଳୁଥିବା ୧,୦୦୦ ଟଙ୍କାର ସର୍ବନିମ୍ନ ପେନସନ ୨୦୧୪ ସେପ୍ଟେମ୍ବରରୁ ଲାଗୁ ହୋଇଛି। ଗତ ଏକ ଦଶନ୍ଧି ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ବର୍ତ୍ତମାନର ଦରଦାମ ବୃଦ୍ଧି ଏବଂ ଚିକିତ୍ସା ଖର୍ଚ୍ଚକୁ ଦୃଷ୍ଟିରେ ରଖି ୧,୦୦୦ ଟଙ୍କାର ପେନସନ ଯଥେଷ୍ଟ ନୁହେଁ ବୋଲି ପେନସନଭୋଗୀ ଓ କର୍ମଚାରୀ ସଂଗଠନଗୁଡ଼ିକ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ସର୍ବନିମ୍ନ ପେନସନ ବୃଦ୍ଧି କରି ଅତିକମରେ ୭,୫୦୦ ଟଙ୍କା କରିବାକୁ ସେମାନେ ଦାବି କରୁଛନ୍ତି।
EPS ହେଉଛି ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ EPFOର ଏକ ଅବସରକାଳୀନ ପେନସନ ଯୋଜନା। ଏହି ଯୋଜନାରେ ନିଯୁକ୍ତିଦାତା ବା କମ୍ପାନୀ ପକ୍ଷରୁ ଜମା ହେଉଥିବା PF (EPF) ଯୋଗଦାନର ୮.୩୩ ପ୍ରତିଶତ ଅଂଶ ସିଧାସଳଖ ପେନସନ ଫଣ୍ଡକୁ ଯାଇଥାଏ। ଅବସର ପରେ ଜଣେ କର୍ମଚାରୀ କେତେ ପେନସନ ପାଇବେ, ତାହାର କୌଣସି ସର୍ବୋଚ୍ଚ ସୀମା ଧାର୍ଯ୍ୟ ହୋଇନାହିଁ। ଏହା ତାଙ୍କ ଦରମା ଏବଂ ଚାକିରି କରିଥିବା ବର୍ଷ ସଂଖ୍ୟା ଉପରେ ନିର୍ଭର କରେ।
ଏବେ ନଭେମ୍ବର ୧୯ରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩,୦୦୦ ଟଙ୍କାର ସର୍ବନିମ୍ନ ପେନସନ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।