ଦିଗପହଣ୍ଡି,୨୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ ଡ଼୍ୟାମ ଛକରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରି ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ହାଟୁଆ ସାହିର ଏମ୍.ରାଜେଶ ପାତ୍ର।
ରାଜେଶ ଗୁରୁବାର ରାତି ପ୍ରାୟ ସାଢେ ୧୦ ଟାରେ ପାଉଁରୁଟି ଫ୍ୟାକ୍ଟ୍ରିରେ କାମସାରି ନିକଟରେ ଥିବା କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଆଙ୍ଗୁଠିକୁ କୌଣସି ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ସେ ଘରକୁ ଫେରି ଘଟଣା ସମ୍ପର୍କରେ କହିବା ପରେ ତାଙ୍କ ସ୍ତ୍ରୀ କବିତା ସ୍ବାମୀ ରାଜେଶଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏନେଇ ଶୁକ୍ରବାର ତାଙ୍କ ସମ୍ପର୍କୀୟ ଏସ୍.ସହଦେବ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଏକ ଅପମୃତ୍ୟୁ ମାମଲା(ନଂ.୫୦/୨୬) ରୁଜୁ କରିଥିଲେ। ଅନୁସନ୍ଧାନକାରୀ ଅଧିକାରୀ ଏଏସ୍ଆଇ ମନୋଜ ସିଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।