କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା: ତାଲିକାରେ ରହିଛି ଏସବୁ ପ୍ରଶାସନିକ ଅଧିକାରୀଙ୍କ ନାମ…

ସୁରଜପୁର/ଇନ୍ଦୋର/ପଞ୍ଚକୁଲା/ଅଗରତାଲା,୨୩।୫: ପ୍ରଶାସନିକ ଅଧିକାରୀ କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା ଦେବା ଘଟଣା କିଛି ନୂଆ ନୁହେଁ। ଏବେ ଛତିଶଗଡରେ ସୁଜରପୁର କଲେକ୍ଟର ରଣବୀର ଶର୍ମା ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ପଦରୁ ହଟାଇଛନ୍ତି। ସେହିପରି ସୁରଜପୁର ଏସ୍‌ଡିଏମ୍‌ ପ୍ରକାଶ ସିଂ ରାଜପୁତ ଲକ୍‌ଡାଉନ୍‌ ସମୟରେ କଲେକ୍ଟରଙ୍କ ଷ୍ଟାଇଲ୍‌ରେ ଜଣେ ଯୁବକଙ୍କକୁ ଚଟକଣି ମାରିବା ସହିତ ବସଉଠ କରାଇଛନ୍ତି। ଏଭଳି ସାଧାରଣ ଜନତାଙ୍କୁ ନିର୍ଯାତନା ଦେଇଥିବା ପ୍ରଶାସନିକ ଅଧିକାରୀଙ୍କ ତାଲିକାରେ ଅନେକଙ୍କ ନାମ ରହିଛି। ଗତମାସରେ ପଶ୍ଚିମ ତ୍ରିପୁରାର ତତ୍‌କାଳୀନ କଲେକ୍ଟର ଶୈଳେଶ କୁମାର ଯାଦବ ଏକ ବିବାହ ଉତ୍ସବରେ ପହଞ୍ଚି ଅତିଥିଙ୍କ ସମେତ ବର କନ୍ୟା ତଥା ଉପସ୍ଥିତ ମହିଳାଙ୍କୁ ଖରାପ ବ୍ୟବହାର କରିବା ସହିତ ଧକା ମାରିବା ଅଭିଯୋଗ ହୋଇଥିଲା। ଏହାର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ମଧ୍ୟପ୍ରଦେଶ ଇନ୍ଦୋର ଦେପାଲପୁର ତହସିଲ୍‌ଦାର ବଜରଙ୍ଗ ବାହାଦୂର କରୋନା କଟକଣା ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କୁ ଗୋଇଠା ମାରିବାର ଭିଡ଼ିଓ ଭାଇରାଲ ହୋଇଥିଲା। ତାଙ୍କ ବିରୋଧରେ ମାନବାଧିକାର କମିଶନ ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା। ସେ ନିଜ ଜନ୍ମଦିନ ଖଣ୍ଡାରେ କେକ୍‌ କାଟି ବିବାଦୀୟ ହୋଇଥିଲେ। ସେହିପରି ଏହି ତାଲିକାରେ ମହିଳା ଆଏଏସ୍‌ ଅଫିସର ଜେତସ୍ବୀ ରାଣାଙ୍କ ନାମ ମଧ୍ୟ ରହିଛି। ଗତବର୍ଷ ଲକ୍‌ଡାଉନ୍‌ ସମୟରେ ରାଜସ୍ଥାନର ଚିତୌଡଢ଼ରେ ଏସ୍‌ଡିଏମ୍‌ ଭାବେ କାର୍ଯ୍ୟ କରୁଥିବା ତେଜସ୍ବୀ ପନିପରିବା ମଣ୍ଡିରେ ପହଞ୍ଚି ଭଙ୍ଗାରୁଜା କରିବା ସହିତ ଟଙ୍କା ଚିରି ଦେଇଥିଲେ। ଏହାର ଭିଡ଼ିଓ ଭାଇରାଲ ହେବାପରେ ତାଙ୍କୁ ଟ୍ରାନ୍ସଫର କରାଯାଇଥିଲା। ୨୦୨୦ ଅଗଷ୍ଟ ୨୧ରେ ହରିଆରାର ଆଇଜି ଥିବା ହେମନ୍ତ କଲସନ୍‌ ମଦ ନିଶାରେ ପଞ୍ଚକୁଲାରେ ଏକ ଘରେ ପଶି କେତେକ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ। ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରାଯାଇ ପରେ ନିଲମ୍ବିତ କରାଯାଇଥିଲା।

Share