ବାଲୁବଜାରକୁ ମୂର୍ତ୍ତିପୂଜା ଅନୁମତି

କଟକ ଅଫିସ,୧।୯:  କଟକରେ ଦୁର୍ଗାପୂଜାକୁ ନେଇ ନାନା କଳ୍ପନାଯଳ୍ପନା ଜାରି ରହିଥିବା ବେଳେ ସହରର ସର୍ବପୁରାତନ ବାଲୁ ବଜାର ପୂଜା କମିଟିକୁ ମୂର୍ତ୍ତି ନିର୍ମାଣ ଓ ପୂଜା ପାଇଁ ସୋମବାର ହାଇକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ଏହି ପୂଜା ସରକାରୀ କୋଭିଡ୍‌ ଗାଇଡ୍‌ଲାଇନ ଭିତରେ ହିଁ ସମ୍ପନ୍ନ ହେବ। ମୂତ୍ତି ନିର୍ମାଣ, ପୂଜା ଓ ଭସାଣ ବେଳେ ଭିଡ଼ କରାଯିବ ନାହିଁ। ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ, ବିଚାରପତି କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କଟକ ବାଲୁବଜାରର ଦୁର୍ଗାପୂଜା ୫୦୦ ବର୍ଷ ତଳର। ୧୫୦୯ ମସିହାରୁ ଏଠାରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି କରାଯାଇ ପୂଜା ହୋଇଆସୁଛି। ଏଯାବତ୍‌ କୌଣସି ବର୍ଷ ପୂଜା ବନ୍ଦ ହୋଇନାହିଁ। କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ଲାଗୁ ହେବା ପରେ କଟକ ସହରର ଦୁର୍ଗାପୂଜାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ପୂଜା ଅନୁମତି ଭିକ୍ଷା କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ଯୁକ୍ତି ରଖାଯାଇଥିଲା ଯେ ଗତ ନନ୍ଦୋତ୍ସବରେ ପୂଜା କମିଟି ପକ୍ଷରୁ ନିରାଡ଼ମ୍ବର ଭାବେ ଓ କୋଭିଡ୍‌ ଗାଇଡ୍‌ଲାଇନ ଭିତରେ ରହି ମୂଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇସାରିଛି। ଶତାଧିକ ବର୍ଷର ଏହି ପରମ୍ପରାକୁ ନ ଭାଙ୍ଗିବା ପାଇଁ ପୂଜା ଅନୁମତି ମିଳୁ ବୋଲି ହାଇକୋର୍ଟଙ୍କ ପାଖରେ ନିବେଦନ କରାଯାଇଥିଲା। ହାଇକୋର୍ଟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ମୂର୍ତ୍ତି ନିର୍ମାଣ ଓ ପୂଜା ପାଇଁ ଅନୁମତି ଦେଇଛନ୍ତି। ମାଟିଉଠା ସରିଥିବାରୁ ଖୁବ୍‌ଶ୍ରୀଘ୍ର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପୂଜା ମଣ୍ଡପରେ ଲୋକଙ୍କ ଗହଳି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ହାଇକୋର୍ଟ। କୌଣସି ନୂତନ ପେଣ୍ଡାଲ ନିର୍ମାଣ କରାଯିବ ନାହିଁ। ପୂଜା କମିଟି ପକ୍ଷରୁ ରହିଥିବା ଦୁର୍ଗାଘରେ ମା’ଙ୍କ ପୂଜା ହେବ। ବିନା ଭକ୍ତରେ ଭସାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବାଲୁ ବଜାର ପୂଜା କମିଟିର ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ଓ ସମ୍ପାଦକ ଅନିରୁଦ୍ଧ ସାଙ୍ଗନାରିଆ ସୂଚନା ଦେଇଛନ୍ତି।