ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବଉଳା ନାଳ ଉପରେ ପୋଲ ନିର୍ମାଣ ହୋଇପାରୁ ନ ଥିଲା। ଫଳରେ ସ୍ଥାନୀୟ ଅଧିବାସୀମାନେ ଗୁରୁତର ଅସୁବିଧା ଭୋଗ କରୁଥିଲେ। କାରଣ ବନ ବିଭାଗ ଅନୁମତି ଦେଉ ନଥିବାରୁ ନାଳ ଉପରେ ପୋଲ ନିର୍ମାଣ ହୋଇ ପାରୁ ନ ଥିଲା। ନାଳ ଉପରେ ପୋଲ ନିର୍ମାଣ ପାଇଁ କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ତଥା ହାଟଡିହୀ ବ୍ଲକ ଜିଲା ପରିଷଦ ସଭ୍ୟ ସୋମନାଥ ଦାସଙ୍କ ଉଦ୍ୟମ ଶେଷରେ ସଫଳ ହୋଇଛି । ବନ ବିଭାଗର ଅନୁମତି ମିଳିବା ସହ ପୋଲ ନିର୍ମାଣ ପାଇଁ ସରକାର ୧୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି।
ସୂଚନା ଯୋଗ୍ୟ,ହାଟଡିହି ବ୍ଲକ କେ. ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମୁଣ୍ଡି ଏବଂ ମୟୂରଭଞ୍ଜ ଜିଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡ଼ାପଟା ଅଞ୍ଚଳକୁ ଯାତାୟାତ ପାଇଁ ରାସ୍ତା ନଥିଲା। ଏନେଇ ବାରମ୍ବାର ଦାବି ହେବା ପରେ ୨୦୨୦ ମସିହାରେ କେନ୍ଦୁଝର ଡିଏମ୍ଏଫ ଫଣ୍ଡରୁ ରାସ୍ତା ପାଇଁ ୩ କୋଟି ୧୬ ଲକ୍ଷ ଟଙ୍କା ଏବଂ ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା। ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କରାଗଲା। ବଉଳା ନାଳ ଉପରେ ପୋଲ ନିର୍ମାଣ ଆରମ୍ଭ ବେଳେ ବନ ବିଭାଗ ତରଫରୁ ଅଙ୍କୁଶ ଲାଗିଥିଲା । ଫଳରେ ଠିକାସଂସ୍ଥା କାମ ଛାଡ଼ି ପଳାଇଥିଲା । ଯାହାଦ୍ୱାରା ବିଭିନ୍ନ ଗ୍ରାମର ଲୋକ ମାନେ ବର୍ଷା ଦିନେ ନାନା ଦୁର୍ଦ୍ଦଶା ଭୋଗି ଯାତାୟାତ କରନ୍ତି । ରୋଗୀକୁ ଡାକ୍ତରଖାନା ନେବା ପାଇଁ ଗାଁକୁ ଅମ୍ବୁଲାନ୍ତୁ ଆସିବା,ଲୋକେ ରୋଗୀକୁ ଖଟିଆରେ ବୋହି ନାଳ ପାର କରି ଡାକ୍ତରଖାନା ନେଉଥିଲେ । ଛାତ୍ରୀଛାତ୍ର ମାନେ ମଧ୍ୟ ହଇରାଣ ହେଉଥିଲେ ।
ପରେ ପୋଲ ନିର୍ମାଣ ପାଇଁ ଗ୍ରାମସଭା, ପଲ୍ଲୀସଭା କରାଯାଇ ଜଙ୍ଗଲ ବିଭାଗର ଅନୁମତି ଲୋଡ଼ା ଯାଇଥିଲା କିନ୍ତୁ ଅନୁମତି ମିଳିବାରେ ବହୁ ବିଳମ୍ବ ହୋଇଥିଲା। ଏନେଇ ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ବାରମ୍ବାର ଜିଲା ପରିଷଦ ବୈଠକରେ ପ୍ରଶ୍ନ ଉଠାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିବା ସହିତ ମୟୂରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧିକାରୀ, କରଞ୍ଜିଆ ବିଧାୟକଙ୍କୁ ଭେଟି ଅନୁମତି ଦେବାକୁ ନିବେଦନ କରିଥିଲେ। ଜଙ୍ଗଲ ବିଭାଗ ପୋଲ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବା ପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ନିର୍ମାଣ ପାଇଁ ୧୨କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି। ଫଳରେ ଉଭୟ ରାସ୍ତା ଏବଂ ପୋଲ ନିର୍ମାଣ ହେବ। ଆନ୍ତଃ ଜିଲା ସଂଯୋଗୀ କରଣ ରାସ୍ତା ଯୋଜନାରେ ଏହି ରାସ୍ତା ନିର୍ମାଣ ହେବ। କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇ ଟେଣ୍ଡର ପ୍ରକ୍ରିୟା ପ୍ରସ୍ତୁତ ହୋଇଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ର ମଲ୍ଲିପଶି, ସରମୁଣ୍ଡି ଏବଂ ମୟୂରଭଞ୍ଜ ଜିଲା ବଉଳା, ଝର୍ଝରୀ, ନାମବଣି, ଭାଲିଆଡାଳ, ଶଗଡ଼ପଟା ଗ୍ରାମର ହଜାର ହଜାର ଲୋକେ ଉପକୃତ ହୋଇପାରିବେ । କରଞ୍ଜିଆ ଫରେଷ୍ଟ ଡିଭିଜନ ଓ ଗ୍ରାମ୍ୟଉନ୍ନୟନ ବିଭାଗ ପୋଲ ଓ ରାସ୍ତା ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ନେଇ ଥିବାରୁ ଅଞ୍ଚଳବାସୀ ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥଙ୍କ ସମେତ ପ୍ରଶାସନକୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଛନ୍ତି।