ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ ପାଇଁ ଅନୁମତି

ବାରିପଦା ଅଫିସ,୨୩ା୧୧:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ଉନ୍ନତୀକରଣ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ଓ ଡିଫେନ୍ସ ଜେନେରାଲ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୧୬୦.୩୫ ଏକର ପରିମିତ ଜମି ଉପରେ ଥିବା ପ୍ରତିରକ୍ଷା ଜମି ବଦଳରେ ୨୬କୋଟି ୩ଲକ୍ଷ ୧୦ହଜାର ୪୩୮ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଦେଶ କାର୍ଯ୍ୟକାରୀ ପୂର୍ବରୁ ସିଏଫ୍‌ଆଇ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବୋର୍ଡ ଅଫ୍‌ ଅଫିସର ପରିଷଦ ଗଠନ କରି ଉନ୍ନତୀକରଣ ହେବାକୁ ଥିବା ଏୟାରଷ୍ଟ୍ରିପ୍‌ ଜମିର ସ୍ଥିତାବସ୍ଥା, ଜମି ଚିହ୍ନଟ, ମୂଲ୍ୟାୟନ, ସରକାରୀ ବେସରକାରୀ ସମ୍ପତ୍ତିର ଆକଳନ ସାଙ୍ଗକୁ ସୁରକ୍ଷା ଓ ନିରାପତ୍ତା ଆଦି ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟ ୪ସପ୍ତାହ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଡିଆରଡିଓ ଅଧୀନରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ ଉଡାନ ଯୋଜନାରେ ସାମିଲ ହୋଇଥିଲା। ଭୁବନେଶ୍ୱରରୁ ଅମର୍ଦ୍ଦା ଓ ଅମର୍ଦ୍ଦାରୁ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ ଯୋଜନା ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଗତ ଫେବୃୟାରୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତିରକ୍ଷା ବିଭାଗ ସଚିବ ଅଜୟ କୁମାରଙ୍କୁୁ ବ୍ୟବସାୟ ଭିତ୍ତିକ ବିମାନ ଚଳାଚଳ ନିମନ୍ତେ ଏନ୍‌ଓସି ପାଇଁ ପତ୍ର ଲେଖିଥିଲେ।