ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି

ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ମିଳିନାହିଁ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏଥିପାଇଁ ସ୍ଥାୟୀ ଚିକିତ୍ସା ଖୋଜିବାରେ ଲାଗିଛନ୍ତି। ଏବେ ଏମିତି ଏକ ଦାବି କରାଯାଉଛି କି, କରୋନା ସଂକ୍ରମଣକୁ ସମୂଳେ ଧ୍ୱଂସ କରିବାକୁ ସମୁଦ୍ରତଳୁ ଏକ ପଦାର୍ଥ ମିଳିଛି। ଯାହାକି କରୋନାର ସ୍ଥାୟୀ ଚିକିତ୍ସା କରିପାରିବ। ଏହା ସମୁଦ୍ରର ବହୁ ଗଭୀରରେ ରହିଛି।

ଏବେ ଆପଣ ଭାବୁଥିବେ ଏହା କ’ଣ ସ୍ଥଳଭାଗରେ ମିଳିଲାନି ସମୁଦ୍ର ମଧ୍ୟରୁ ମିଳିବ। ଏହି କଥା ଉପରେ ବୈଜ୍ଞାନିକମାନେ କହିଛନ୍ତି, ପେନ୍‌ସିଲିନ୍‌ ଚିକିତ୍ସା ଇତିହାସର ସବୁଠୁ ବଡ଼ ଆବିଷ୍କାର ଥିଲା। ଏହା  ପ୍ରାକୃତିକ ଭାବରେ ମହଜୁଦ ଥିବା ଏକ ଆଣ୍ଟିବାୟୋଟିକ୍‌। ମାତ୍ର ଏହାର ଉପଶମ କରିବାର ଉପାୟ କାହାକୁ ଜଣା ନ ଥିଲା। ଯେତେବେଳେ ଏହା ଜଣାପଡ଼ିଲା ସେତେବେଳେ ଇତିହାସ ବଦଳିଗଲା। ବର୍ତ୍ତମାନ କରୋନାକୁ ମାତ୍‌ ଦେବ ଏପରି ଏକ ଆଣ୍ଟିଭାଇରାଲ ଯାହାକି ପ୍ରାକୃତିକ ଭାବରେ ବହୁ ପରିମାଣରେ ରହିଛି।

ଆମେରିକାର ଖାଦ୍ୟ ଓ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ(FDA) ସାମୁଦ୍ରିକ ପ୍ରାଣୀମାନଙ୍କଠାରୁ ମିଳିଥିବା ପଦାର୍ଥ ସହିତ ଚିକିତ୍ସା କରିବାକୁ ସମ୍ମତି ପ୍ରକାଶ କରିଛି। ଏହି ପଦାର୍ଥଗୁଡ଼ିକ ମଧ୍ୟରୁ ଅନେକ କ୍ଲିନିକାଲ ପରୀକ୍ଷଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ନିକଟରେ ଏପରି ଏକ ପଦାର୍ଥ ସମୁଦ୍ର ଭିତରେ ବୈଜ୍ଞାନିକମାନେ ପାଇଛନ୍ତି। ଏହି ପଦାର୍ଥ ହେଉଛି ସାମୁଦ୍ରିକ ଆଲ୍‌ଗି, ସ୍କ୍ବିଡ୍‌ ଏବଂ ମାଛ। ଏଥିରେ ସାମୁଦ୍ରିକ ସଲ୍‌ଫେଟେଡ୍‌ ପଲିସାକାଇରାଇଡ୍‌ କୁହାଯାଏ। ଏହା ହେଉଛି ଏକ ସ୍ବତନ୍ତ୍ର ପ୍ରକାରର କାର୍ବୋହାଇଡ୍ରେଟ୍‌ ଯେଉଁଥିରେ ସଲ୍‌ଫର ଥାଏ। ଏହି ସଲ୍‌ଫର ସାମୁଦ୍ରିକ ଘାସ ବା ସମୁଦ୍ରର କୋଷଗୁଡ଼ିକର ବାହ୍ୟ କାନ୍ଥରେ ଗଚ୍ଛିତ। ଏହା କେତେକ ମାଛ ଏବଂ ଉଦ୍ଭିଦରେ ମିଳିଥାଏ। ବୈଜ୍ଞାନିକମାନେ କ୍ରମାଗତ ଭାବେ ସାମୁଦ୍ରିକ ପଦାର୍ଥ ସହ ପରୀକ୍ଷା ନିରୀକ୍ଷା କରୁଛନ୍ତି।

ଏଥିରୁ ହର୍ପସ ସିମ୍ପାଲେକ୍ସ ଭାଇରସ, ଏଚ୍‌ଆଇଭି, ଚିକନଗୁନିଆ, ସାଇଟୋମେଗାଲୋ ଭାଇରସ, ସ୍ବାଇନ୍‌ ଫ୍ଲୁ ଏବଂ ହେପାଟାଇଟିସ୍‌ ଭାଇରସର ଚିକିତ୍ସା କରାଯାଇଛି। ସେହିପରି ଏବେ ଦାବି କରାଯାଉଛି ଏହି ସାମୁଦ୍ରିକ ପଦାର୍ଥରୁ ମଧ୍ୟ କରୋନାର ସ୍ଥାୟୀ ଚିକିତ୍ସା କରାଯାଇପାରିବ। ଏଥିରୁ ଟିକା ପ୍ରସ୍ତୁତ କରାଯିବ। ଏହା ଏ ଲମ୍ବା ତଥା ଜଟିଳ ପ୍ରକ୍ରିୟା। ମାତ୍ର ଖୁସିର କଥା କି ସାମୁଦ୍ରିକ ପଦାର୍ଥରୁ କରୋନାର ସ୍ଥାୟୀ ଚିକିତ୍ସା କରାଯାଇପାରିବ।

Share