ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା : ବାଇଡେନଙ୍କ ପରେ ଏବେ ରୁଷିଆ ଭାରତକୁ କଲା ସମର୍ଥନ…

ମସ୍କୋ,୨୫।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆ ପୁଣି ଥରେ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ ସୁରକ୍ଷା ପରିଷଦକୁ ଅଧିକ ଗଣତାନ୍ତ୍ରିକ କରିବାର ସମ୍ଭାବନା ଆମେ ଦେଖୁଛୁ। ବିଶେଷ କରି ଭାରତ ଏବଂ ବ୍ରାଜିଲ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବା ଉଚିତ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ ଏବଂ ଜର୍ମାନୀକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ ହେବା ପାଇଁ ସମର୍ଥନ କରିଥିଲେ। ତେବେ ଏହି ଦିଗରେ ଏପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରିବାକୁ ବାକି ଥିବା ସେ କହି୍‌ଥିଲେ।

ଭାରତ ସମେତ ଅନ୍ୟ ୩୧ ଟି ଦେଶ ମିଳିତ ବିବୃତ୍ତିରେ କହି ସାରିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ତଥା ଅଣ-ସ୍ଥାୟୀ ସଦସ୍ୟଙ୍କ ବର୍ଗକୁ ଆହୁରି ବିସ୍ତାର କରାଯିବା ଉଚିତ। ଭାରତ କହିଛି, ସୁରକ୍ଷା ପରିଷଦର କାର୍ଯ୍ୟରେ ଅଧିକ ସଂସ୍କାରର ଆବଶ୍ୟକତା ରହିଛି।

ମିଳିତ ଜାତିସଂଘର ସାଧାରଣ ସଭାର ୭୭ ତମ ଅଧିବେଶନରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମୁଖ୍ୟ ଶାସନ ସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଭେଟିଛନ୍ତି। ଏହି ସମୟରେ, ୟୁକ୍ରେନ ବିବାଦ ସମେତ ବିଶ୍ୱସ୍ତରୀୟ ଆହ୍ବାନ ଉପରେ ଉଭୟ ଆଲୋଚନା କରିଥିଲେ। ଟୁଇଟ କରି ୟଶଙ୍କର କହିଛନ୍ତି ଯେ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସହ ବିଶ୍ୱସ୍ତରୀୟ ଆହ୍ବାନ ଉପରେ ବ୍ୟାପକ ଆଲୋଚନା ହୋଇଛି। ୟୁକ୍ରେନ ବିବାଦ, ଜାତିସଂଘ ସଂସ୍କାର, ଜି -20, ଜଳବାୟୁ ପଦକ୍ଷେପ,ଖାଦ୍ୟ ନିରାପତ୍ତା ଏବଂ ବିକାଶ ପାଇଁ ଏହି କାର୍ଯ୍ୟସୂଚୀରେ ତଥ୍ୟ ଅନ୍ତର୍ଭୁକ୍ତ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Share