ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି।
ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ସ୍ଥାୟୀ ଠିକଣା ପ୍ରଦାନ କରିବା ହେଉଛି ପ୍ରଶାସନର ପ୍ରକୃତ ସଫଳତା। ଏହାକୁ ପାଥେୟ କରି ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର, ରାଜସ୍ବ ନିରୀକ୍ଷକ ତାପସ କୁମାର ମିଶ୍ର ତ୍ରିଲୋଚନପୁର, ଜଗନ୍ନାଥପୁର ଓ ଲାଞ୍ଜିଗଡ଼ ପଞ୍ଚାୟତର ବେଲଗୁଡ଼ା, ଅମ୍ବାଗୁଡ଼ା, ଖାଲଗୁଡ଼ା, ବାନିଗାଁ, ଜଗନ୍ନାଥପୁର ଏବଂ ଗୋଇପଟା ଆଦି ଗ୍ରାମ ଗସ୍ତ କରିଥିଲେ।
ଦୀର୍ଘ ଦିନ ଧରି ଭୂମିହୀନ ହୋଇ ଅବହେଳିତ ଜୀବନ ବିତାଉଥିବା ୯୨ ପରିବାରକୁ ୪ ଡେସିମିଲ ଲେଖାଏ ସ୍ଥାୟୀ ଘରଡ଼ିହ ପଟ୍ଟା ବଣ୍ଟନ କରି କରିଛନ୍ତି। ଏହିସବୁ ପରିବାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ, ଯାହା ସେମାନଙ୍କ ଜୀବନ ଧାରାରେ ଏକ ବଡ଼ ପରିବର୍ତ୍ତନ ଆଣିବ।
ପଟ୍ଟା ବଣ୍ଟନ ଅବସରରେ ତହସିଲଦାର କହିଛନ୍ତି, ସରକାରଙ୍କ ଉଦ୍ୟମ ହେଉଛି ପ୍ରତ୍ୟେକ ଗରିବ ପରିବାରକୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ପ୍ରଦାନ କରିବା। ହିତାଧିକାରୀଙ୍କ ମୁହଁରେ ଥିବା ଏହି ଆତ୍ମସନ୍ତୋଷ ହିଁ ଜଣେ ସରକାରୀ ଅଧିକାରୀ ପାଇଁ ସବୁଠାରୁ ବଡ଼ ପୁରସ୍କାର। ଆଗାମୀ ଦିନରେ ଅନ୍ୟ ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ କରାଯିବ।