Categories: ଜାତୀୟ

ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରସଙ୍ଗର ରିଭ୍ୟୁ କରିବା ସହିତ ୨ ମାସ ମଧ୍ୟରେ ଯୋଗ୍ୟ ମହିଳା କର୍ମଚାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ମହିଳାଙ୍କୁ ସମାନ ଅଧିକାର ପାଇଁ ଏଭଳି କରାଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସେନାର ଏସିଆର୍‌ ଅର୍ଥାତ୍‌ ସର୍ଭିସ୍‌ ଗୋପନୀୟ ରେକର୍ଡ ମେଣ୍ଟେନ୍‌ କରିବା ପ୍ରକ୍ରିୟା ଅଧିକ ସ୍ବଚ୍ଛ ଏବଂ ପାରଦର୍ଶୀ ହେବା ଆବଶ୍ୟକ ବୋଲି ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପ୍ରକାଶ କରିଛନ୍ତି। ସମାଜରେ ପୁରୁଷଙ୍କ ଦ୍ୱାରା ବିଭିନ୍ନ ନିୟମ ପୁରୁଷଙ୍କ ପାଇଁ ପ୍ରଣୟନ କରାଯାଇଛି। ଏଥିରେ ପରିବର୍ତ୍ତନ ନ ଆସିଲେ ମହିଳାଙ୍କୁ ସମାନ ଅଧିକାର ମିଳି ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ୨୦୨୦ରେ ନିର୍ଦ୍ଦେଶ ପରେ ମଧ୍ୟ ଫିଟ୍‌ନେସ୍‌ ଏବଂ ଅନ୍ୟ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆ ନ ଯିବା ଭୁଲ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

Share