ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର,୫।୪(ବ୍ୟୁରୋ): ୪ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପେନ୍‌ସନ୍‌ ପ୍ରଦାନ ସହ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡି.ଇଏଲ୍‌.ଇଡି.) ଯୋଗ୍ୟତା ଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା, ସରକାରୀ ଏନ୍‌ସି କ୍ଲିୟର ଶିକ୍ଷକଙ୍କୁ ୨୦୧୯ ମେ’ ୨୨ରୁ ନିୟମିତ କରିବା ଏବଂ କ୍ୟାଥୋଲିକ୍‌ ମିଶନ୍‌ ମାଇନୋରିଟି ବୋର୍ଡର ଶିକ୍ଷକଙ୍କୁ ନିୟମିତ କରିବା ଦାବି କରାଯାଇଛି। ଏନ୍‌ଆଇଓଏସ୍‌ ଡିଇଏଲ୍‌ଇଡି ଶିକ୍ଷକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଶିକ୍ଷୟିତ୍ରୀ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୂର୍ବରୁ ଏନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରିଥିବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘର ରାଜ୍ୟ ସଭାନେତ୍ରୀ ଜ୍ୟୋତି ମଞ୍ଜରୀ ସେଠ୍‌ କହିଛନ୍ତି। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଗୁରୁକୁଳ ଭଳି ଘରୋଇ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ ଶିକ୍ଷକ ୨ରୁ ୩ ହଜାର ଟଙ୍କା ବେତନରେ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରନ୍ତି। ଗୁଜରାଣ ମେଣ୍ଟାଇବା ପାଇଁ ଟ୍ୟୁଶନ କରିଥା’ନ୍ତି। ତେବେ ବାର୍ଦ୍ଧକ୍ୟକାଳରେ ସେମାନେ କାର୍ଯ୍ୟ କରିପାରନ୍ତି ନାହିଁ କି କୌଣସି ପୁଞ୍ଜି ସଞ୍ଚୟ କରିପାରି ନ ଥା’ନ୍ତି। ତେଣୁ ସେମାନଙ୍କ ପାଇଁ ପେନ୍‌ସନ ଲାଗୁ କରିବା ନିହାତି ଆବଶ୍ୟକ ବୋଲି ସଂଘର ରାଷ୍ଟ୍ରୀୟ କୋଷାଧ୍ୟକ୍ଷା କଳ୍ପନା ଧରୁଆ କହିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।