ଆବାସ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ଭଦ୍ରକ,୧୪।୮(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଡ଼ିଆ ଗ୍ରାମର ଅକ୍ଷୟ ସେଠୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଦାବିରେ ସୋମବାର ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ।

ନିକଟରେ ପ୍ରକାଶ ପାଇଥିବା ଆବାସ ତାଲିକାରେ ତାଙ୍କ ନାମକୁ ଆକ୍ରୋଶ ମୂଳକ ଭାବେ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି l ଘର ଖଣ୍ଡେ ପାଇଁ ସେ ବ୍ଲକଠାରୁ ଆରମ୍ଭ କରି ଜିଲାପାଳ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ଆବାସ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଦାବି ପୂରଣ ହୋଇପାରି ନାହିଁ।

ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଅର୍ଥଭାବରୁ ଘର କରି ପାରୁନାହାନ୍ତି । ଫଳରେ ସେ ପରିବାର ସହ ଏକ ମାଟି ଘରେ ରହୁଛନ୍ତି। ବର୍ଷା ଦିନେ ବହୁ କଷ୍ଟରେ ରହୁଥିବା ସେ କହିଛନ୍ତି। ତେଣୁ ତାଙ୍କୁ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଦାବି କରିଛନ୍ତି।