ପିଲାଙ୍କୁ ଟିକା ଦେବାକୁ ଚାହୁଁଛନ୍ତି ୬୩ ପ୍ରତିଶତ ମାତାପିତା…

ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଉଛି। ଏପରିସ୍ଥଳେ ଟିକାକରଣ ଏକ ମାତ୍ର ସୁରକ୍ଷା ବିକଳ୍ପ ଭାବେ ଉଭା ହୋଇଛି। ଦେଶରେ ସାର୍ବଜନୀକ ଟିକାକରଣ ଜାରି ରହିଥିବାବେଳେ ଏବେ ଛୋଟ ପିଲାଙ୍କ ସୁରକ୍ଷା ଚିନ୍ତା ମାତାପିତାଙ୍କୁ ଘାରିଛି। ଦେଶର ୬୩.୧ ପ୍ରତିଶତ ମାତାପିତା ପିଲାଙ୍କୁ ଟିକା ଦେବାକୁ ଚାହୁଁଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଜର୍ଣ୍ଣାଲ ଅଫ ଫ୍ୟାମିଲି ମେଡିସିନ ଏବଂ ଫ୍ୟାମିଲି ହେଲଥ କେୟାରରେ ପ୍ରକାଶିତ ହୋଇଥିବା ଏହି ଗବେଷଣା ରିପୋର୍ଟକୁ ନୂଆଦିଲ୍ଲୀ ସ୍ଥିତ ବର୍ଦ୍ଧମାନ ମହାବୀର କଲେଜ ଏବଂ ସଫଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗ ଦ୍ୱାରା ଏକ ସର୍ଭେ ଆଧାରରେ ପ୍ରସ୍ତୁତ କରା ଯାଇଛି। ସର୍ଭେରେ ୪୬୭ ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନମଧ୍ୟରୁ ୭୦.୪୪ ପ୍ରତିଶତ ମାତାପିତା ସେମାନଙ୍କ ଟିକାକରଣ କରିବାକୁ ଇଚ୍ଛୁକ ଥିଲେ। ତେବେ ୨୯.୫୫ ପ୍ରତିଶତ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ।

ସେହିପରି ୭୨.୫୮ ସ୍ବାସ୍ଥ୍ୟକର୍ମୀ ନିଜ ନିଜ ପିଲାଙ୍କୁ ଟିକା ଦେବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ୨୭.୪୧ ପ୍ରତିଶତ ଟିକା ନ ନେବାକୁ କହିଥିଲେ। ସର୍ଭେରେ ଲୋକଙ୍କୁ ୧୩ଟି ଭିନ୍ନ ଭିନ୍ନ ପ୍ରଶ୍ନର ଏକ ସେଟ ପଚରାଯାଇଥିଲା।

ବର୍ଦ୍ଧମାନ ମହାବୀର କଲେଜ ଏବଂ ସଫଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ଡ. ଯୁଗଳ କିଶୋର କହିଛନ୍ତି ଯେ ପିଲାମାନେ ଟିକାକରଣ ଦିଗରେ ଲୋକମାନେ ଏକ ସକରାତ୍ମକ ଦୃଷ୍ଟିକୋଣ ଦେଖାଇଛନ୍ତି। ଏହା ଏକ ସକାରାତ୍ମକ ଖବର ଯେ ୬୩.୧ ପ୍ରତିଶତ ମାତାପିତା ପିଲାମାନଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି।

Share