ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଲକ ଅନ୍ତର୍ଗତ କରପଡା ନିକଟ ରାସ୍ତାରେ ଏକ ବ୍ରିଜ୍ ଏବଂ ପୋଟଲାମପୁର-ଗଙ୍ଗାପୁର ମୁଖ୍ୟ ରାସ୍ତା ଉପରେ ଥିବା ଅନ୍ୟ ଏକ ବ୍ରିଜ୍ ଦୀର୍ଘ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ।

ଏହି ଦୁଇଟି ରାସ୍ତା ସମ୍ପୂର୍ଣ୍ଣ ପକ୍କା ହୋଇଥିଲେ ମଧ୍ୟ କେବଳ ବ୍ରିଜ୍ କାମ ସରିନଥିବାରୁ ଏହା ଏବେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକେ ଯିବାଆସିବା କରନ୍ତି । ବିଶେଷ କରି ପ୍ରସିଦ୍ଧ ମା’ ତାରାତାରିଣୀ ମନ୍ଦିର, ଛତ୍ରପୁର ମ୍ୟୁନିସିପାଲିଟି, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍କୁଲ ଓ କଲେଜକୁ ଯାତାୟାତ ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏହି ପଥ ଉପରେ ନିର୍ଭର କରିଥାନ୍ତି । ମାତ୍ର ବ୍ରିଜ୍‌ ଦ୍ଵୟର ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ଏଠାରେ ସଦାସର୍ବଦା ଦୁର୍ଘଟଣାର ଆଶଙ୍କା ଲାଗି ରହିଛି।

ଅନ୍ଧାର ରାତିରେ କିମ୍ବା ବର୍ଷା ଦିନେ ଏହି ସ୍ଥାନ ଦେଇ ଗାଡ଼ି ଚଳାଇବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ୁଛି । ସମୟ ଥାଉ ଥାଉ ଯଦି ଏହାର ସ୍ଥାୟୀ ପ୍ରତିକାର କରାନଯାଏ, ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ବିଭାଗୀୟ ଉଦାସୀନତା ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି । ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ନିଆଯାଇ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲେ, ଅଞ୍ଚଳବାସୀଙ୍କ ଦୀର୍ଘଦିନର ଗମନାଗମନ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Share