ଚାକିରି ହରାଉଛନ୍ତି କ୍ୟାପିଟୋଲ ଦଙ୍ଗାକାରୀ

ଓ୍ବାଶିଂଟନ,୮।୧: ଆମେରିକାର କ୍ୟାପିଟୋଲ ‌ ଦଙ୍ଗାରେ ଭାଗ ନେଇଥିବା ଦଙ୍ଗାକାରୀଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଉଛି। ଆଉ ଚାକିରିରୁ ବିଦା କରାଯାଉଥିବା ଦର୍ଶାଇଛି ସିଏନ୍‌ଏନ୍‌ର ଏକ ରିପୋର୍ଟ। ଉକ୍ତ ରିପୋର୍ଟ ଅନୁଯାୟୀ, ଦଙ୍ଗାରେ ଭାଗ ନେଇଥିବା କର୍ମଚାରୀଙ୍କୁ ଛଟେଇ କରିଛି ମାରିଲାଣ୍ଡସ୍ଥିତ ନାଭିଷ୍ଟାର ନାମକ ଏକ ମାର୍କେଟିଂ କମ୍ପାନୀ। ଛଟେଇ ହୋଇଥିବା କର୍ମଚାରୀମାନେ କମ୍ପାନୀର ଆଇଡି ବ୍ୟାଚ୍‌ ପିନ୍ଧି କ୍ୟାପିଟାଲ ବିଲ୍ଡିଂ ଭିତରେ ଭଙ୍ଗାରୁଜ୍ଜା କରିଥିଲେ, ଯାହାର ଫଟୋ ଭାଇରାଲ ହୋଇଥିଲା।

ଆମେ ସମସ୍ତ କର୍ମଚାରୀଙ୍କୁ ସମର୍ଥନ କରୁଛୁ। ପ୍ରତ୍ୟେକଙ୍କ କର୍ମଚାରୀଙ୍କ ଶାନ୍ତିରେ ନିଜ ମତ ରଖିବାର ଅଧିକାର ଅଛି। କିନ୍ତୁ ଯେଉଁ କର୍ମଚାରୀଙ୍କ ଆଚରଣ ଅନ୍ୟମାନଙ୍କ ପ୍ରତି ବିପଜ୍ଜନକ, ସେମାନେ ନାଭିଷ୍ଟାର ମାର୍କେଟିଂ ସହିତ ଯୋଡ଼ି ହୋଇ ରହିପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ସିଏନ୍‌ଏନ୍‌ ରିପୋର୍ଟରେ ପ୍ରକାଶ ପାଇଛି।

Share