ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍‌ ପୂର୍ବର ସମସ୍ତ ଭାରିଆଣ୍ଟ୍‌ ତୁଳନାରେ ଶୀଘ୍ର ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି ଯେ ଓମିକ୍ରନ ଶୀଘ୍ର ବ୍ୟାପୁଛି। ଟିକା ନେଇ ସାରିଥିବା ଏବଂ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କଠାରେ ଏହାର ସଂକ୍ରମଣ ଶୀଘ୍ର ଏବଂ ସହଜରେ ହେଉଛି।

ଘେବ୍ରେୟେସସଙ୍କ କହିବାନୁସାରେ, ୨୦୨୧ରେ କରୋନା ମହାମାରୀ ଭାଇରସ ଯୋଗୁଁ ୩.୩ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକି ଗତ ବର୍ଷ ଏଚ.ଆଇ.ଭି, ମ୍ୟାଲେରିଆ ଏବଂ ଯକ୍ଷ୍ମା ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ସହିତ ସମାନ। ଇଟାଲିଆନ୍‌ ମେଡିସିନ ଏଜେନ୍ସି ର ଅଧ୍ୟକ୍ଷ ଜିୟୋର୍ଜିଓ ପାଲୁ ଆକଳନ କରିଛି ଯେ ମୂଳ ଷ୍ଟ୍ରେନ ଅପେକ୍ଷା ଓମିକ୍ରନ ଭାରିଆଣ୍ଟକୁ ପ୍ରତିହତ କରିବା ପାଇଁ ୪୦ ଗୁଣା ଅଧିକ ଶକ୍ତିଶାଳୀ କରୋନା ଭାଇରସ ଆଣ୍ଟିବଡିର ଆବଶ୍ୟକତା ରହିଛି। ତେଣୁ ଟିକା ନେଇଥିବା ଏବଂ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ ବୋଲି ସେ ଚେତାବନୀ ଦେଇଛନ୍ତି।

 

Share