Categories: ଜାତୀୟ

ଲମ୍ବା ଓ୍ବେଟିଂ ଲିଷ୍ଟ ଯୋଗୁ ଲୋକେ ଭୋଗୁଛନ୍ତି ଅସୁବିଧା, ୨୦୨୨-୨୩ ବର୍ଷରେ ଟିକେଟ କିଣିବା ସତ୍ତ୍ୱେ ୨.୭ କୋଟି ଯାତ୍ରାରୁ ବଞ୍ଚିତ: ଥରୁର…

ନୂଆଦିଲ୍ଲୀ,୩୦।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ୱେଟିଂ ଲିଷ୍ଟ ଟ୍ରେନ ଟିକେଟ ନେଇ ସରକାରଙ୍କୁ ଘେରି ଛନ୍ତି। ମଙ୍ଗଳବାର ସେ କହିଛନ୍ତି ଆଜି ଯେତେବେଳେ ଆମେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛୁ, ଏକ ନିଶ୍ଚିତ ରେଳ ଟିକେଟ ସାଧାରଣ ସୁବିଧା ହେବା ଉଚିତ। ଏହା ସତ୍ତ୍ୱେ ଆଜି ଯଦି ଟ୍ରେନରେ କେହି କନଫର୍ମ ସିଟ ପାଆନ୍ତି, ତେବେ ଏହା ଭାଗ୍ୟର ବିଷୟ ବୋଲି ବିବେଚନା କରାଯାଏ। କେନ୍ଦ୍ର ସରକାର କେବଳ ବନ୍ଦେ ଭାରତ ଟ୍ରେନ ପ୍ରତି ଅଧିକ ଧ୍ୟାନ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏହା ଚିନ୍ତାଜନକ ବୋଲି ଥରୁର କହିଛନ୍ତି।

ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ କଂଗ୍ରେସ ନେତା ଏହି ମନ୍ତବ୍ୟ ଦେଇଛନ୍ତି। ଏହି ରିପୋର୍ଟରେ, ଆରଟିଆଇର ଉତ୍ତରକୁ ଦର୍ଶାଇ କୁହାଯାଇଛି ୨୦୨୨-୨୩ ବର୍ଷରେ ଟିକେଟ କିଣିବା ସତ୍ତ୍ୱେ ୨.୭ କୋଟିରୁ ଅଧିକ ଯାତ୍ରୀ ଟ୍ରେନ ଯୋଗେ ଯାତ୍ରା କରିପାରି ନାହାନ୍ତି। ଏହାର କାରଣ ହେଉଛି ଲମ୍ବା ଓ୍ବେଟିଂ ଲିଷ୍ଟ। ଥରୁର ପ୍ରଶ୍ନ କରିଛନ୍ତି ଭାରତୀୟ ରେଳବାଇର ଲମ୍ବା ଓ୍ବେଟିଂ ଲିଷ୍ଟ କେବେ ଶେଷ ହେବ?

ରିପୋର୍ଟ ଅନୁସାରେ ୨୦୨୨-୨୩ ବର୍ଷରେ ସର୍ବାଧିକ ସଂଖ୍ୟକ ଟିକେଟ ଲମ୍ବା ଓ୍ବେଟିଂ ଲିଷ୍ଟରେ ରହିଥିଲା। ଯାହା ସ୍ବଂୟଚାଳିତ ଭାବରେ ବାତିଲ ହୋଇଯାଇଥିଲା। ଏହି ଧାରା ଜାରି ରହିଛି। ପ୍ରତିବର୍ଷ ପୂର୍ବ ବର୍ଷର ରେକର୍ଡ ଭାଙ୍ଗୁଛି।

ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁଡିକର ଶୁଭାରମ୍ଭ ସ୍ବାଗତଯୋଗ୍ୟ। କିନ୍ତୁ କେବଳ ଏହା ଉପରେ ଅଧିକ ଧ୍ୟାନ ଦେବା ଠିକ ନୁହେଁ। ଏହି ଅସନ୍ତୁଳନ ଦୂର କରାଯିବା ଆବଶ୍ୟକ। ଏହି ପ୍ରସଙ୍ଗ ତୁରନ୍ତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ ବୋଲି ସେ କହିଛନ୍ତି।

Share