ସୁନାହାର ଲୁଟ୍‌ କରି ପଳାଉଥିଲେ, ନିର୍ଧୁମ ଛେଚିଲେ ଲୋକେ

ସିମୁଳିଆ, ୨୬।୯(ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥରେ ସୋମବାର ମଧ୍ୟାହ୍ନରେ ଜୟନ୍ତୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ କରି ଫେରାର ହୋଇଯାଉଥିବା ୨ଜଣ ଯୁବକ ଧରାପଡ଼ି ନିର୍ଧୁମ ଛେଚା ଖାଇଛନ୍ତି। ପରେ ସେମାନଙ୍କୁ ପୋଲିସ ଜିମା ଦିଆଯାଇଛି।
ସ୍ଥାନୀୟ କୁପୁରାବଜାର ଅଞ୍ଚଳର ବିଦ୍ୟାଧର ସାହୁ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ଭଦ୍ରକ ଜିଲା ଚରମ୍ପାରୁ କରୋନା ଟିକା ନେଇ ବାଇକ (ନଂ. ଓଡ଼ି୨୨ଏଲ-୩୨୦୫) ଯୋଗେ ଘରକୁ ଫେରୁଥିଲେ। ପରେ ରାଜପଥର ମଇତାପୁର ନିକଟରେ ଅନ୍ୟ ଏକ ବାଇକ୍‌ (ନଂ. ଓଡ଼ି୦୧ଏସି-୧୮୭୭)ରେ ୨ ଜଣ ଯୁବକ ତାଙ୍କ ପିଛା କରି ଜୟନ୍ତୀଙ୍କ ବେକରୁ ସୁନାହାର ଟାଣି ନେଇ ଫେରାର ହୋଇଯାଇଥିଲେ। ଜୟନ୍ତୀଙ୍କ ସ୍ବାମୀ ବିଦ୍ୟାଧର ତାଙ୍କ ପିଛା କରିଥିଲେ। ରାଜପଥରେ କାମ ଚାଲୁଥିବାରୁ ବାଇପାସ୍‌ ରୋଡରେ ଗାଡ଼ି ଜାମ ଥିବାରୁ ଉକ୍ତ ଦୁଇ ଯୁବକ ଧରାପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନିର୍ଧୁମ ପିଟି ପୋଲିସକୁ ହସ୍ତାନ୍ତର କରିଥିଲେ। ଉକ୍ତ ଦୁଇ ଯୁବକ ହେଲେ ଖଇରା ବ୍ଲକ ମହତୀପୁର ଅଞ୍ଚଳର ଦେବାଶିଷ ଦାସ(୩୬) ଓ ବାପି ନାୟକ(୩୨)।