ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି। ସହରର ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବ ଲୋକଙ୍କ କୁଡ଼ିଆ ଘର, ଠେଲାକୁ ପ୍ରଥମେ ବୁଲଡୋଜର ମାଡ଼ି ବସୁଛି। ଏଭଳି ବୁଲଡୋଜର ମାଡ଼ରେ ସହରସ୍ଥିତ ଗରିବ, ଖଟିଖିଆ ଲୋକେ ବାସହରା ହୋଇପଡୁଥିବାବେଳେ ସେମାନଙ୍କ ଜୀବନ, ଜୀବିକା ମଧ୍ୟ ଉଜୁଡ଼ି ଯାଉଛି। ମଙ୍ଗଳବାର ବରଗଡ଼ ପୌର ପରିଷଦର ୱାର୍ଡ ନଂ-୧୧, ୧୪ ଏବଂ ୧୫ ଅଧୀନରେ ରହିଥିବା କେନାଲପଡ଼ା ଉଚ୍ଛେଦକୁ ନେଇ ଅସନ୍ତୋଷ ସହିତ ଚାପା ଉତ୍ତେଜନା ଲାଗି ରହିଛି। ଏହି କ୍ରମରେ ଗୁରୁବାର ବହୁଜନ ସମାଜ ପାର୍ଟି(ବିଏସ୍ପି) ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ଉଚ୍ଛେଦ ପୂର୍ବରୁ ଆଇନ ଅନୁଯାୟୀ, ପ୍ରଭାବିତ ଲୋକଙ୍କୁ ଥଇଥାନ କରିବାକୁ ଦାବି ହୋଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବିଏସ୍ପିର ନେତୃବୃନ୍ଦ ଓ କର୍ମୀମାନେ ଗୋବିନ୍ଦପାଲିରେ ସମବେତ ହୋଇଥିଲେ। ସେଠାରୁ ପ୍ରଭାବିତ ପରିବାର ଲୋକଙ୍କ ସହିତ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଆସିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ପୋଲିସ ବନ୍ଦ କରି ଦେଇଥିଲା। ଫଳରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଉଚ୍ଛେଦକୁ ବିରୋଧ କରି ସେମାନେ ବିଭିନ୍ନ ନାରାବାଜି କରିଥିଲେ। ବିଏସ୍ପିର ଜିଲା ସଭାପତି ଅଜୟ କୁମ୍ଭାରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଳର ସମ୍ବଲପୁର ଜୋନ ପ୍ରଭାରୀ ନାରାୟଣ ଭେସ୍ରା, ଜିଲା ସଂଯୋଜକ ଆଡ୍ଭୋକେଟ୍ ଜୟରାମ ବାଘ, ସମ୍ବଲପୁର ଜୋନ୍ର ଅନ୍ୟତମ ପ୍ରଭାରୀ ରାଜୁ ନନ୍ଦ, ଗାନ୍ଧୀ ମହାନନ୍ଦ ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ବୋଧନ ଦେଇଥିଲେ।
ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ନ ଦେଇ ବିନା ନୋଟିସ୍, ବିନା ଥଇଥାନରେ ଉଚ୍ଛେଦ କରାଯିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ସମ୍ବଲପୁର ଜୋନ୍ ପ୍ରଭାରୀ ଭେସ୍ରା କହିଥିଲେ। ସେହିପରି ଦୀର୍ଘ ୫୦ରୁ ୬୦ବର୍ଷ ଧରି ରହି ଆସୁଥିବା ପଡ଼ାବାସୀଙ୍କୁ ପ୍ରଶାସନ ଯେଭଳି ଉଚ୍ଛେଦ କରିଛି, ତାହା ପ୍ରିଭେନ୍ସନ ଅଫ୍ ଏନ୍କ୍ରୋଚ୍ମେଣ୍ଟ ଆକ୍ଟ ୧୯୭୨ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ଦଳର ଜିଲା ସଂଯୋଜକ ବାଘ କହିଥିଲେ। ପରେ ଜିଲାପାଳ ଗୋୟଲଙ୍କ ଉଦ୍ଦେଶ୍ୟରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରଭାବିତ ପରିବାର ଲୋକଙ୍କୁ ବରଗଡ଼ ପୌରାଞ୍ଚଳରେ ବାସୋପଯୋଗୀ ୪ଡେସିମିଲ ଜମି ପଟ୍ଟା ପ୍ରଦାନ, ସେଠାରେ ତୁରନ୍ତ ଗୃହ ନିର୍ମାଣ ସହିତ ପୁନର୍ବାସ କରିବା, ପୁନର୍ବାସ ସ୍ଥାନରେ ଶୁଦ୍ଧ ପାନୀୟଜଳ, ବିଦ୍ୟାଳୟ, ସ୍ବାସ୍ଥ୍ୟସେବା, ବଜାର ବ୍ୟବସ୍ଥା, ପକ୍କାରାସ୍ତା, ପ୍ରଭାବିତ ପରିବାର ଲୋକଙ୍କୁ ୨୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ, ଗାନ୍ଧୀଛକ କଡ଼ରେ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କୁ ଦୋକାନ ଗୃହ ପ୍ରଦାନ ସହିତ କ୍ଷତିପୂରଣ ପ୍ରଦାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ସିଂ, ଅନିଲ ନାଏକ, କୈଳାସ ଲୁହା, ସରୋଜ କୁମ୍ଭାର, କଲ୍ୟାଣୀ ନାଗ, ଲତା ନାଗ, ଯାଜ୍ଞସିନୀ ନାଏକଙ୍କ ସମେତ ଶତାଧିକ ମହିଳା, ପୁରୁଷ ସାମିଲ ହୋଇଥିଲେ।

