ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କୁ ନେଇ ମିଳିତ ବୈଠକ ପରେ ସମାଧାନର ବାଟ ଫିଟିଛି। ବିଏମ୍‌ସି ସମ୍ମିଳନୀ କକ୍ଷରେ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତିଭାସନ୍‌, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଯାତ୍ରା ପରିଚାଳନା କରିବା ପାଇଁ ବିଏମ୍‌ସି କମିଶନର ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୭ ଦିନ ସମୟ ଦିଆଯାଇଛି। କୋଭିଡ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଯାତ୍ରା ଅବଧି ବୃଦ୍ଧି ହେବ କି ନାହିଁ ତାହା ଜିଲା ପ୍ରଶାସନ ନିର୍ଦ୍ଧାରଣ କରିବ ବୋଲି କମିଶନର କହିଥିଲେ।
ମା’ଙ୍କ ଘଟ ପରିକ୍ରମାରେ କୌଣସି ବାରଣ ରହିବ ନାହିଁ। କେବଳ ସ୍ଥାନୀୟ ଲୋକଙ୍କୁ ନେଇ ଯାତ୍ରା କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲା ବାହାରୁ କୌଣସି ଲୋକଙ୍କୁ ଯାତ୍ରାକୁ ନ ଡାକିବା ପାଇଁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ଯାତ୍ରା ସମୟରେ ଶ୍ରଦ୍ଧାଳୁ ମା’ଙ୍କ ପାଦ ଧୋଇବା ନୀତିକୁ ବାରଣ କରାଯାଇଛି। କେବଳ ନୀତିକାନ୍ତି ଅନୁଯାୟୀ ମା’ଙ୍କ ପରିକ୍ରମା ଓ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଶନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସହମତି ଦେଇଛନ୍ତି। ଏଥିସହ ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ବେହେରା ପ୍ରଶାସନର ନିର୍ଦ୍ଦେଶକୁ ସହମତି ଜଣାଇ ସୋମବାର ରାତ୍ରି ୯ରୁ ୩ଟା ଯାଏ ଶୁଭଖୁଣ୍ଟି ସ୍ଥାପନା ହେବା ନେଇ ସୂଚନା ଦେଇଛନ୍ତି। ଏହାପରେ ସିଦ୍ଧାନ୍ତ ପୁରୋହିତଙ୍କ ଦ୍ୱାରା ଯାତ୍ରା ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି।