ନୂଆଦିଲ୍ଲୀ,୧୯।୮: ଗ୍ରୀନପିସ ଇଣ୍ଡିଆର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ନିମ୍ନ ଆୟ ବର୍ଗର ପରିବାରମାନେ ଜଳ ସଙ୍କଟ ଓ ବେସରକାରୀ ଜଳ ଯୋଗାଣକାରୀଙ୍କ ଉପରେ ଅଧିକ ନିର୍ଭରଶୀଳ। ‘ଓ୍ୱାଟର ଆକ୍ସେସ ଅଡିଟ: ଗ୍ୟାପ୍ସ, କଷ୍ଟସ ଆଣ୍ଡ ବିଓଣ୍ଡ’ ଶୀର୍ଷକ ଏହି ଅଧ୍ୟୟନରେ ଦିଲ୍ଲୀର ୧୨ଟି ଅଞ୍ଚଳର ୫୦୦ ପରିବାର ଉପରେ ସର୍ଭେ କରାଯାଇଛି।
ରିପୋର୍ଟ ଅନୁଯାୟୀ, ୩୪% ପରିବାର ଦୋକାନରୁ ପାନୀୟ ଜଳ କିଣୁଛନ୍ତି, ୨୯% ଜଳ ଟ୍ୟାଙ୍କର ଉପରେ ନିର୍ଭରଶୀଳ, ୨୧% ଜଳ ଏଟିଏମରୁ ପାଣି ସଂଗ୍ରହ କରୁଛନ୍ତି, ୧୪% ଭୂଗର୍ଭ ଟାଙ୍କି ଏବଂ ୨% ପଡ଼ୋଶୀଙ୍କଠାରୁ ପାଣି ଧାର କରୁଛନ୍ତି। ପ୍ରାୟ ୩୭% ପରିବାର ଦୈନିକ ୨୦-୨୫ ଲିଟର ପାଣି ଆବଶ୍ୟକ କରୁଥିବା କହିଥିବା ବେଳେ, ମାତ୍ର ୨୮% ପରିବାର ପର୍ଯ୍ୟାପ୍ତ ପାଣି ପାଉଛନ୍ତି।
ମାସିକ ୬,୦୦୦ ରୁ ୧୦,୦୦୦ ଟଙ୍କା ରୋଜଗାର କରୁଥିବା ପରିବାରମାନେ ସେମାନଙ୍କ ଆୟର ୧୫% ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି। ୭୦% ପରିବାରର ମାସିକ ଖାଦ୍ୟ ବଜେଟ ପାଣିର ମୂଲ୍ୟବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛି। ଏହା ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ଖର୍ଚ୍ଚକୁ କ୍ଷତିଗ୍ରସ୍ତ କରୁଛି।
୩୮% ଉତ୍ତରଦାତା କହିଛନ୍ତି ଯେ ପାଣି ସଂଗ୍ରହ ପାଇଁ ଲମ୍ବା ଲାଇନରେ ଛିଡ଼ା ହେବା ଯୋଗୁଁ ସେମାନେ କାମ ହରାଇଛନ୍ତି କିମ୍ବା ବିଳମ୍ବରେ ପହଞ୍ଚିଛନ୍ତି। ବିଶେଷତଃ ମହିଳା ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଜଳ ଅସୁରକ୍ଷା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ।
୨୯% ପରିବାର ଜଳ ଟ୍ୟାଙ୍କର ଉପରେ ନିର୍ଭରଶୀଳ ଥିବା ବେଳେ, ଏହାର ଗୁଣବତ୍ତା ନିମ୍ନମାନର ହେଉଛି। ଅନେକ ଅଞ୍ଚଳରେ ଟ୍ୟାଙ୍କର ସପ୍ତାହରେ ଥରେ କିମ୍ବା ଦୁଇ ସପ୍ତାହରେ ଥରେ ଆସୁଛି, ଯାହା ଲୋକଙ୍କୁ ବେସରକାରୀ ଯୋଗାଣକାରୀଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ କରୁଛି। କେତେକ ପରିବାର ଟ୍ୟାଙ୍କର ନିୟମିତ ଆସିବା ପାଇଁ ଅର୍ଥ ପ୍ରଦାନ କରୁଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ଏପ୍ରିଲରେ ଦିଲ୍ଲୀ ସରକାର ୩,୦୦୦ ଜଳ ଏଟିଏମ ସ୍ଥାପନର ଘୋଷଣା କରିଥିଲେ ହେଁ, ଏପ୍ରିଲ-ଜୁନ ମଧ୍ୟରେ ମାତ୍ର ୨୦ଟି ଏଟିଏମ ସ୍ଥାପନ ହୋଇଛି। ଏହି ଏଟିଏମଗୁଡ଼ିକ ସବୁବେଳେ ୨୦ ଲିଟର ପାଣି ଯୋଗାଣ କରୁନାହିଁ ଏବଂ ସର୍ବଦା କାର୍ଯ୍ୟକ୍ଷମ ରହୁନାହିଁ।
ରିପୋର୍ଟରେ ୩,୦୦୦ ଜଳ ଏଟିଏମ ପରିବର୍ତ୍ତେ ୫,୦୦୦ ଏଟିଏମ ସ୍ଥାପନ, ଶ୍ରମଚୌକ, ନିର୍ମାଣ ସ୍ଥଳୀ, ଦୋକାନ, ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ ଅଞ୍ଚଳରେ ଏଟିଏମ ସ୍ଥାପନ, ସରକାରୀ ଜଳ ବିତରଣ ପଏଣ୍ଟର ମରାମତି, ଦିଲ୍ଲୀ ଜଳ ବୋର୍ଡ ଦ୍ୱାରା ନିୟମିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଦୁର୍ନୀତି ରୋକିବା ଏବଂ ଅସଂଗଠିତ ବସ୍ତିରେ ଜଳ ଭିତ୍ତିଭୂମିରେ ବିନିଯୋଗ କରିବାକୁ ସୁପାରିଶ କରାଯାଇଛି।


