ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ତାତିଲେ ଲୋକେ

ଉଦଳା, ୨୩।୪(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମେଡିକାଲ୍‌ ଅଫିସର ଏବଂ ଏସ୍‌ଡିଏମ୍‌ଓ।
ସ୍ଥାନୀୟ ଅଞ୍ଚଳର ରୂପାଇ ବାସ୍କେଙ୍କ ସ୍ତ୍ରୀ ଗୁରୁବାର ରକ୍ତଚାପ ଯୋଗୁ ସଂଜ୍ଞାହୀନ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ରୂପାଇ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ନ ଥିଲେ। ଫଳରେ ଷ୍ଟାଫ୍‌ ନର୍ସମାନେ ରୂପାଇଙ୍କ ସ୍ତ୍ରୀଙ୍କ ଚିକିତ୍ସା କରିଥିଲେ। ଏନେଇ ଅସନ୍ତୋଷ ଆରମ୍ଭ ହୋଇଥିଲା। ବାରମ୍ବାର ଡାକ୍ତରଙ୍କ ଅନୁପସ୍ଥିତିକୁ ଲୋକେ ବିରୋଧ କରିଥିଲେ। ଶତାଧିକ ମହିଳା ପୁରୁଷ ଏକାଠି ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘେରାଉ କରିବା ସହିତ ଡାକ୍ତରଖାନର ଇନଚାର୍ଜ ମେଡିକାଲ ଅଫିସର ବିଜୟ ମହାପାତ୍ରଙ୍କୁ ଅଟକ ରଖିଥିଲେ। ଫଳରେ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କପ୍ତିପଦା ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଶିବାନନ୍ଦ ମହାନ୍ତି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ଲୋକେ ବୁଝିବା ପରିବର୍ତ୍ତେ ଏସ୍‌ଡିଏମ୍‌ଓଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଫିସ ଭିତରେ ତାଲା ମାରି ଦେଇଥିଲେ ା ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିଲେ। ସିଡିଏମ୍‌ଓ ଘଟଣାସ୍ଥଳରେ ପହଞ୍ଚିବାକୁ ଗ୍ରାମବାସୀ ଦାବି କରିଥିଲେ। ହେଲେ ବାରିପଦାରୁ ଆଡିଶନାଲ ପବ୍ଲିକ ମେଡିକାଲ ଅଫିସର ଚାରୁବାଳା ମିଶ୍ରଙ୍କ ସହିତ ଏକ ଟିମ୍‌ ମେଡିକାଲ ପରିସରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହିତ ଖୁବ୍‌ଶୀଘ୍ର ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତରମାନଙ୍କୁ ରେଗୁଲାର ଡାକ୍ତରଖାନା ଆସିବା ଲାଗି ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦୀର୍ଘ ୪ ଘଣ୍ଟା ପରେ ଏସ୍‌ଡିଏମ୍‌ଓଙ୍କୁ ତାଲା ଖୋଲାଯାଇଥିଲା।