କଳା ଧୂଆଁରେ ଲୋକେ ଅତିଷ୍ଠ

ଧାମନଗର,୨୪।୫(ଡି.ଏନ.ଏ.) ଭଦ୍ରକ ଜିଲା ଧାମନଗର ବଜାର ଅଞ୍ଚଳରେ ଦିନକୁ ଦିନ କଳା ଧୂଆଁ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ଏଥିପ୍ରତି ପ୍ରଶାସନ କିମ୍ବା ପରିବେଶ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏହି କଳା ଧୂଆଁର କାରଣ କବାଡ଼ିଆ ଦୋକାନ। ଧାମନଗର ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ କବାଡ଼ିଆ ଦୋକାନ ଗଢ଼ି ଉଠିଛି।ଏହାକୁ ରୋକିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଧାମନଗର ଏନ୍‌ଏସିର ହବିବନଗର ଅଞ୍ଚଳରେ ଏକାଧିକ କବାଡ଼ିଆ ଦୋକାନ ଗଢ଼ି ଉଠିଛି। ବିଭିନ୍ନ ଚୋରି ସାମଗ୍ରୀ କିଣି ରାତାରାତି ଗାଏବ୍‌ କରିଦିଆଯାଉଛି। ଏମିତିକି ବିଭିନ୍ନ ଚୋରି ଟ୍ରକ୍‌, ବସ୍‌ ଓ ଅନ୍ୟାନ୍ୟ ମେଶିନାରୀ ଯନ୍ତ୍ରାଂଶ ଏଠାକୁ ଅଣାଯାଇ ଗ୍ୟାସ୍‌ କଟର ସାହାଯ୍ୟରେ କାଟି ବିକ୍ରି କରିଦିଆଯାଉଛି। କବାଡ଼ିଆ ସାମଗ୍ରୀ ମଧ୍ୟରୁ ରବର ଓ ପ୍ଲାଷ୍ଟିକ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ପୋଡ଼ାଯାଇ ଲୁହା ସବୁ ବାହାର କରାଯାଉଛି। ଏହି ପୋଡ଼ା ଯୋଗୁ ବାହାରୁଥିବା କଳା ଧୂଅଁାରେ ଧାମନଗର ଅଞ୍ଚଳ ମେଘାଚ୍ଛନ ଆକାଶ ଭଳି ଦେଖାଯିବା ସହ ଗଛ ପତ୍ର ସବୁ କଳା ଦେଖାଯାଉଛି। ଏପରିକି ଏହି କଳା ଧୂଅଁା ଯୋଗୁ ଲୋକେ ବିଭିନ୍ନ ରୋଗ ଓ ଚର୍ମ ରୋଗରେ ଆକ୍ରାନ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଧାମନଗର ସମେତ ଦୋବଲ, ଖଡ଼ିପଦା, ପନ୍ଦରବାଟିଆ, ଧୂଷୁରୀ, ଜାହାଙ୍ଗିର ରୋଡ୍‌, ମୁଲ୍ଲଣାସାହି, ପଠାଣ ମହଲା, ଧାମନଗର ଛକ ପ୍ରମୁଖ ଅଞ୍ଚଳରେ କବାଡ଼ିଆ ଦୋକାନ ସବୁ ଖୋଲାଯାଇ କିଣାବିକା ଚାଲିଛି। ସେହିପରି ହବିବନଗର ଅଞ୍ଚଳ ରାସ୍ତାରେ ଟ୍ରକ୍‌ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଠିଆ କରି ଲୋଡ୍‌ ଅନଲୋଡ୍‌ ମଧ୍ୟ କରାଯାଉଛି। କେହି ପ୍ରତିବାଦ କଲେ ଓଲଟି ନାଲି ଆଖିର ଶିକାର ହେବାକୁ ପଡୁଛି। ପ୍ରଶାସନ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି। କିଛିଦିନ ତଳେ ଧାମନଗର ବିଇଓ ଅଫିସ, ମିଶନ ଶକ୍ତି ଅଫିସ, ଏନ୍‌ଏସି ଅଫିସ, ଆଧାର କେନ୍ଦ୍ର, ଧାମନଗର ପ୍ରେସ୍‌ କ୍ଲବ ତାଲା ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିଲେ। ଏହି ଚୋରି ଘଟଣାରେ କେତେଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଧାମନଗର ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଆସିଲେ ଚଢ଼ାଉ କରାଯାଇ ଚୋରି ଜିନିଷ ଜବତ କରାଯାଉଛି। ତେବେ କବାଡ଼ିଆ ଦୋକାନୀମାନେ ଭଙ୍ଗା ସାମଗ୍ରୀ କିଣିବା ଉପରେ ସେମାନେ ରୋକ୍‌ ଲଗାଇ ପାରିବେ ନାହିଁ। ଏହାବ୍ୟତୀତ କବାଡ଼ିଆ ସାମଗ୍ରୀ ପୋଡ଼ା ଯୋଗୁ କଳାଧୂଆଁ ପରିବେଶ ନଷ୍ଟ ହେବା ଘଟଣାରେ ବିଭାଗ ଯାହା ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ତେବେ ପରିବେଶ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।