ପାନୀୟ ଜଳ ଅଭାବରୁ ଲୋକେ ହନ୍ତସନ୍ତ

କୁଜଙ୍ଗ,୨୩ା୫(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ସନ୍ତରାଠାରେ ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ସେଠାରୁ ପମ୍ପ୍‌ ଯୋଗେ ଭୂତଳ ଜଳ ଉତ୍ତୋଳନ କରାଯାଇ ସିଧାସଳଖ ପାଇପ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି। ଉକ୍ତ ପ୍ରକଳ୍ପ ଜରିଆରେ ମଙ୍ଗରାଜପୁର ପଞ୍ଚାୟତର ସନ୍ତରା, ମଙ୍ଗରାଜପୁର, ହସିଣା ସମେତ ଗୋପିଆକୁଦ ପଞ୍ଚାୟତର ବାଲିସାହି ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯାଉଛି। ଏ ସବୁ ଗ୍ରାମରେ ୨୦୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ସଭିଏଁ ଏହି ପ୍ରକଳ୍ପ ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ସେଠାରେ ମାତ୍ର ୭.୫ ଅଶ୍ୱ କ୍ଷମତା ବିଶିଷ୍ଟ ମୋଟର ଲାଗିଥିବାରୁ ପାଣି ଉଠାଇବାକୁ ସକ୍ଷମ ହୋଇପାରୁନାହିଁ। ଫଳରେ ମାତ୍ର ୧ ବାଲ୍‌ଟି ପାଣି ସଂଗ୍ରହ ପାଇଁ ଜଣଙ୍କୁ ପ୍ରାୟ ୧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି ବୋଲି ସନ୍ତରା ଗ୍ରାମର ସର୍ବେଶ୍ୱର ଖଟୁଆ ଓ ମଙ୍ଗରାଜପୁର ଗ୍ରାମର ସୁରେନ୍ଦ୍ର ନାଥ ସ୍ବାଇଁ ପ୍ରମୁଖ କହିଛନ୍ତି। ଏବେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନସାଧାରଣ ପାଣି ଟୋପେ ନ ପାଇ ଡହଳବିକଳ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଏକ ୧୦ରୁ ୧୨ ଅଶ୍ୱ କ୍ଷମତା ବିଶିଷ୍ଟ ମୋଟର ଲଗାଯାଇ ପାଣି ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ, ଏହି ସମସ୍ୟା ସମ୍ପର୍କରେ ସେ ପୂର୍ବରୁ ଅବଗତ ନ ଥିଲେ। ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ।